ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଏବଂ ରାଜା ମଧୁସୂଦନ ଦେବ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ, ପଟିଆ ଦ୍ଵାରା କବିବର ରାଧାନାଥ ରାୟଙ୍କ ୧୭୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୨୮/୯/୨୦୨୪ (ଓଡ଼ିଶା ସମାଚାର)- ଆଜି କବିବର ରାଧାନାଥ ରାୟଙ୍କ ଜୟନ୍ତୀ। ଏହି ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ଭୁବନେଶ୍ଵର ଶାଖା ଓ ରାଜା ମଧୁସୂଦନ ଦେବ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ କବିବରଙ୍କ ଜୟନ୍ତୀ ପାଳନ କରାଯାଇଛି।  ଏହି ଅବସରରେ  ବୟୋଜ୍ୟେଷ୍ଠ ଶିକ୍ଷକ ଗିରିଜା ପ୍ରସାଦ ରଥ କବିବରଙ୍କ ଜୀବନ ବୃତ୍ତାନ୍ତ ଓ କାବ୍ୟକୃତି ସମ୍ପର୍କ ରେ ଆଲୋଚନା କରିଥିଲେ। ଯେବେ ୧୮୬୫ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ସାହିତ୍ୟ ରାଜା ଓ ଜମିଦାରଙ୍କ  ଦରବାରରେ ଦାସ ହୋଇ ସମାଜକୁ ଦିଗ୍ ଦର୍ଶନ ଦେଉଥିଲା। ବଙ୍ଗାଳୀ ପରିବାରରେ ଜନ୍ମ ହୋଇ ବଙ୍ଗ ପ୍ରଦେଶରେ ପାଠ୍ୟ ଆରମ୍ଭ କରିଥିବା ରାଧାନାଥ ପରବର୍ତ୍ତୀ କାଳରେ ଉତ୍କଳକୁ ନିଜର କର୍ମଭୂମି ଭାବେ ସ୍ବୀକାର କରି ସାହିତ୍ୟକୁ ରାଜା ଜମିଦାରଙ୍କ କବରୁ ମୁକ୍ତ କରି ନୂତନ ପରିଚୟ ଦେଇଥିଲେ। କାବ୍ୟ ମାଧ୍ୟମରେ ବ୍ୟଙ୍ଗ ସମାଲୋଚନା ଓ ସମୟର ନିଷ୍କର୍ଷକୁ ନିଜ ଲେଖନୀ ମାଧ୍ୟମରେ ସମାଜ ସହ ପରିଚିତ କରାଇଥିଲେ। ଗୁଣ ଚିହ୍ନେ ଗୁଣିଆ ପରି ବାମଣ୍ଡା ବା ବର୍ତ୍ତମାନର ଦେବଗଡ଼  ରାଜା ସାର୍ ସୁଢ଼ଳ ଦେବ ରାଧାନାଥଙ୍କୁ କବିବର ଉପାଧିରେ ଭୂଷିତ କରିଥିଲେ। ୧୮୪୮ ରୁ ୧୯୦୮ ର ଦୀର୍ଘ ୬୦ବର୍ଷର କାଳଖଣ୍ଡରେ ସୃଷ୍ଟି କରିଛନ୍ତି ଅନେକ ସାହିତ୍ୟ କୃତି। ମୃତ୍ୟୁର ଶହେ ବର୍ଷ ପରେ ବି କବି ଆଜି ମଧ୍ୟ ଅପରାଜିତ।

ଏହି ଅବସରରେ ଦୂରଦର୍ଶନର ହିନ୍ଦୀ ଅଧିକାରୀ ନାରାୟଣ ମାୱାତୱାଲ୍ ,ହିନ୍ଦୁ ସମାଜର ବିଶେଷ ପରିଚୟ ବହନ କରିଥିବା ପ୍ରସନ୍ନ ସେନାପତି, ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ସଭାରେ ଉପସ୍ଥିତ ଥିଲେ। ବ୍ୟବସାୟ, ପ୍ରଶାସନ ଓ ସମାଜରୁ ଓଡ଼ିଆ ଅସ୍ମିତା ହଜି ଯାଉଥିବା  ବେଳେ କବିବାରଙ୍କ ସ୍ମରଣ ପ୍ରଣିଧାନଯୋଗ୍ୟ ମନେ ହୁଏ। ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ରମେଶ ପାତ୍ର ସଭା ସଞ୍ଚାଳନ କରିଥିଲେ ଓ ଶ୍ରୀ କୃଷ୍ଣଚନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *