ଭଦ୍ରକ ସହରରେ ଧାରା ୧୬୩ ଜାରି, ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ,୨୮/୯/୨୦୨୪ (ଓଡ଼ିଶା ସମାଚାର)-  ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ପରେ ଭଦ୍ରକ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗି ଧାରା ୧୬୩ ଜାରି କରାଯାଇଛି । ସହରରେ କିଭଳି ଶାନ୍ତି ଫେରିବ ସେନେଇ ପୋଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି । ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଅନେକ ଅଫିସର ନିୟୋଜିତ କରାଯାଇଛି ।ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶନିବାରଠାରୁ ୩୦ ତାରିଖ ସୋମବାର ପର୍ଯ୍ୟନ୍ତ ଭଦ୍ରକ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ସୋସିଆଲ ମିଡିଆରେ ଅପପ୍ରଚାର, ମିଥ୍ୟା, ଗୁଜବ ଦ୍ୱାରା ଜିଲାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା କରି ଏହି ସେବା ବନ୍ଦ କରାଯାଇଛି।

ପୋଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂ ମାର୍ଚ୍ଚ କରିଛି । ଗାଡ଼ି ଗୁଡ଼ିକୁ ଯାଞ୍ଚ ସହ ନାକାବନ୍ଦି କରାଯାଉଛି । ଲୋକଙ୍କୁ ଏକାଠି ହେବା ଉପରେ କଟକଣା ରହିଛି । ସେହିଭଳି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଥିବା ବେଳେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ପୁରୁଣା ବଜାର ଥାନାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସହ ପୋଲିସ ଡିଆଇଜି, ଭଦ୍ରକ ଏସପି, ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶାନ୍ତି କମିଟି ସହ ଆଲୋଚନା କରାଯାଇଛି ।

ବିବାଦୀୟ ପୋଷ୍ଟକୁ ନେଇ ସାଇବର ସେଲ ତଦନ୍ତ କରୁଛି । ପୋଷ୍ଟରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ସର୍ବସାଧାରଣ ସ୍ଥାନରେ ପୋଲିସକୁ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଅଶାନ୍ତି ସୃଷ୍ଟି କରିବା ସହ ଉପଦ୍ରବ କରିଥିବା ଓ ଢେଲା ମାଡ଼ କରିଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି ଡିଆଇଜି କହିଛନ୍ତି ।

ଦୋକାନ ବଜାର ଖୋଲିବା ଉପରେ ନିର୍ଦ୍ଧିଷ୍ଟ ସମୟ ଦିଆଯିବ ବୋଲି ଡିଆଇଜି କହିଛନ୍ତି । ସୋସିଆଲ୍ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଥିବା ଜଣେ ଅଭିଯୁକ୍ତଙ୍କ ଗିରଫ ଦାବି କରି ରାଲି ଚାଲିଥିବା ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ ୩ ପୋଲିସ ଅଧିକାରୀ ଆହତ ହୋଇଥିଲେ। ତା’ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ି ବି ଭଙ୍ଗାରୁଜା ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ସହରରେ ଫ୍ଲାଗମାର୍ଚ୍ଚ କରିଛି । ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁଯାୟୀ, ତିହିଡ଼ି ଅଞ୍ଚଳର ଜଣେ ଯୁବକ ଫେସବୁକରେ ଏକ ପୋଷ୍ଟ କରିଥିଲେ। ଆଉ ସେହି ପୋଷ୍ଟକୁ ନେଇ ବିବାଦ ଉପୁଜିବାରୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଭଦ୍ରକ ସହରରେ ରାଲି କରି ରାସ୍ତା ଅବରୋଧ କରୁଥିଲେ। ଏହାକୁ ବାରଣ କରିବାକୁ ଯାଇଥିଲା ପୋଲିସ। ଏହି ସମୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ସଂପୃକ୍ତ ଗୋଷ୍ଠୀଙ୍କ ପଥର ମାଡ଼ରେ ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଏସଆଇ ରୋଜେନ୍ ମୁର୍ମୁ ଏବଂ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *