ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତ ଆଞ୍ଚଳିକ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବାଚସ୍ପତି

ଭୁବନେଶ୍ୱର,୨୪/୯/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତ ଆଞ୍ଚଳିକ ସମ୍ମିଳନୀ ଅବସରରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ବାଚସ୍ପତି ରାଜ୍ୟ ବିଧାନସଭାରେ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଓଡ଼ିଶାର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ବିଧାନସଭାର ଅବଦାନ ରହୁ ବୋଲି ଏହି ଆଲୋଚନା ସମୟରେ ମହାମହିମ ରାଷ୍ଟ୍ରପତି ମତ ଦେଇଥିଲେ । ଓଡ଼ିଶା ବିଧାନସଭାକୁ ନୂଆକରି ନିର୍ବାଚିତ ହୋଇଥିବା ବାଚସ୍ପତି ଓ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।

          ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ଜଗଦୀପ୍‌ ଧନକଡ଼ଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଓଡ଼ିଶା ର ପର୍ଯ୍ୟଟନ ବୈଭବ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଓଡ଼ିଶା ଗସ୍ତରେ ଆସି କୋଣାର୍କ, ଶିମିଳିପାଳ ଓ କୋରାପୁଟ ପରି ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲି ଦେଖିବାକୁ ଉପରାଷ୍ଟ୍ରପତି ଶ୍ରୀ ଧନକଡ଼୍‌ ଙ୍କୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ଯୁଗ୍ମ ସଚିବ ଶ୍ରୀ ସତୀଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

                                                                                        -0-

ବିଭୂତିନାୟକ, ଲୋକସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *