ଭୁବନ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ମହୋତ୍ସବ ଉଦଘାଟିତ

“ଯେଉଁ ସ୍କୁଲ ଯୋଗୁ ପ୍ରତିଷ୍ଠିତ ହୋଇଛ ସେ ସ୍କୁଲ କୁ ଭଲପାଅ ” ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ 

ଭୁବନ ୦୯/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ( ୭୫ ବର୍ଷ ) ମହୋତ୍ସବ ଉଦଘାଟିତ ହୋଇଯାଇଛି । କାମାକ୍ଷା ନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ,ବିଦ୍ୟାଳୟ ସମସ୍ତଙ୍କ ପାଇଁ ମୂଳଦୁଆ ( ନିଅଁ) ,ଯେଉଁ ବିଦ୍ୟାଳୟ ତୁମକୁ ଆଜି ପ୍ରତିଷ୍ଠିତ କରୁଛି ସେ ବିଦ୍ୟାଳୟ କୁ ଭଲ ପାଅ,ସେ ବିଦ୍ୟାଳୟ ର ଉନ୍ନତି ପାଇଁ କର୍ତ୍ତବ୍ୟ କର । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଆରମ୍ଭ କରି ପୁରାତନ ଛାତ୍ର ମାନଙ୍କୁ ଏକତ୍ର କରି ସେମାନଙ୍କ ସାହାଯ୍ୟ ଓ ସରକାରଙ୍କ ସହଯୋଗ ରେ ସ୍କୁଲ ର ଉନ୍ନତି କରୁଛନ୍ତି ବୋଲି କହିଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀ ର ନିଜ ବିଦ୍ୟାଳୟ ପ୍ରତି କିଛି ଅବଦାନ ରହିବା ଉଚିତ୍ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ପୁରାତନ ଛାତ୍ର ସଂଘ ସଭାପତି ଧନେଶ୍ଵର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅଗ୍ନିଶମ ଡି ଜି ଡକ୍ତର ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ସମସ୍ତଙ୍କ ପାଇଁ ଚିର ନମସ୍ୟ ,ଭୁବନ ଉଚ୍ଚ ବିଦ୍ୟାଳୟ ଏକ ଶ୍ରେଷ୍ଠ ବିଦ୍ୟାଳୟ ବୋଲି କହିଥିଲେ। ଛୋଟ ହେଉ ଅବା ବଡ ହେଉ କୌଣସି ବୃତ୍ତି / କାର୍ଯ୍ୟ କୁ ନ୍ୟୁନ ମନେ କରିବା ଉଚିତ୍ ନୁହେଁ । ନିଷ୍ଠା ଏକାଗ୍ରତା ସହ ସେହି କାର୍ଯ୍ୟ କଲେ ସେ ହିଁ ଆପଣଙ୍କୁ ପରିଚୟ ଦେବ ଆଉ ସମାଜରେ ପ୍ରତିଷ୍ଠିତ କରାଇବ ବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଯୋଗଦେଇଥିଲେ । ଏହି ଅବସରରେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ରେ ଟପର ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ପୁରାତନ ଛାତ୍ର ସୁଦୀପ ସୁଦର୍ଶନ ରଣା ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯବାନ ଅରବିନ୍ଦ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂଘ ସଂପାଦକ ନିଶାକର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ପଣ୍ଡିତ ମାତୃ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସକାଳ ୭ ଘଟିକା ସମୟରେ ବୁଦ୍ଧେଶ୍ଵର ମନ୍ଦିର ରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିଲା । ପରେ ବିଜ୍ଞାନ ମେଳା ଓ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସମୁଦାୟ ୮୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉଦଘାଟନ ଉତ୍ସବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ପୁରାତନ ଛାତ୍ର ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *