ଲଘୁଚାପ ଜନିତ ବର୍ଷାଦ୍ୱାରା ଫସଲ କ୍ଷୟକ୍ଷତି ଅଂଚଳରେ କଂଗ୍ରେସ ପ୍ରତିନିଧିମଣ୍ଡଳୀ

ଚାଷୀଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ଲଘୁଚାପ ଜନିତ ବର୍ଷାଦ୍ୱାରା ଖୋର୍ଦ୍ଧା ଜିଲାର ବିଭିନ୍ନ ଅଂଚଳରେ ଧାନ ଓ ପନିପରିବା ଚାଷ ବହୁଳ ଭାବରେ ପ୍ରଭାବିତ ହୋଇଛି । ଧାନ କାଟି ଖଳାକୁ ନେବା ଆଗରୁ ବର୍ଷା ଦ୍ୱାରା ଏହି ଧାନସବୁ ପାଣିରେ ଭିଜି ଗଜା ହେବାକୁ ଲାଗିଲାଣି । ବିଶେଷକରି ଅନେକ ଅଂଚଳରେ ପନି ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । ଚାଷୀ ବର୍ତମାନ ବେ-ସାହାରା । ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କ୍ଷୟ କ୍ଷତିର ଅନୁଧ୍ୟାନ କରାଯାଉ ନାହିଁ । ଚାଷୀ ଦୁଃସ୍ଥିତିରେ । ତେଣୁ  ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ନେତା ବେଣୁଧର ଭୋଇ, ଜୟନ୍ତ ଭୋଇ, ପିସିସିର ସାଧାରଣ ସମ୍ପାଦିକା ରଶ୍ମି ମହାପାତ୍ର, ଭୁବନେଶ୍ୱର ଜିଲା କିଷାନ କଂଗ୍ରେସ ସଭାପତି କ୍ଷୀରୋଦ ବେହେରା ପ୍ରମୁଖ ବାଲିଅନ୍ତା ବ୍ଳକର ସୁହାଲୋ, ବୁଢ଼ାଳୋ, ସାନ ଭଇଁଚୁଆ, ଚିଙ୍ଗୁଡ଼ିଆ ପ୍ରଭୃତି ଫସଲ କ୍ଷତିଗ୍ରସ୍ତ ଅଂଚଳକୁ ଗସ୍ତକରି ସ୍ଥାନୀୟ ଚାଷୀମାନଙ୍କ ସହିତ କ୍ଷୟ କ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ । ଖରିଫ୍ ଚାଷରେ ପୂର୍ବରୁ ଲେଡ଼ା ପୋକ, ମାଟିଆ ଗୁଣ୍ଡି ପୋକ ପ୍ରଭୃତି ଲାଗିବା ଦ୍ୱାରା ବହୁତ ଫସଲ ନଷ୍ଟ ହୋଇଥିଲା । ଏହାର ପ୍ରତିକାର ପାଇଁ ସେହି ସମୟରେ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନ ଥିବା ଚାଷୀମାନେ ଅଭିଯୋଗ କରିଥିଲେ । ବର୍ତମାନର ଲଘୁଚାପ ବର୍ଷାଦ୍ୱାରା ଚାଷୀଙ୍କର ବହୁ ଫସଲର କ୍ଷତି ଘଟିଛି । ତେଣୁ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଚ୍ଛା ୨୫ ହଜାର ଟଙ୍କା, କୃଷି ଋଣ ଛାଡ଼, କ୍ଷୟ କ୍ଷତିର ସଠିକ୍ ଆକଳନ ଓ କୃଷି ଇନପୁଟ୍ ସହାୟତା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି । ଖରିଫରେ ଖୋର୍ଦ୍ଧାଜିଲାର ୧ଲକ୍ଷ ୨୧ ହଜାର ହେକ୍ଟର ଚାଷ ଜମିରୁ ୯୦ ହଜାର ହେକ୍ଟରରେ ଧାନ ଚାଷ କରାଯାଇଥିଲା । ମରୁଡ଼ି ଓ ବନ୍ୟା ଦ୍ୱାରା ପାଖାପାଖି ୧୨ ହଜାର ହେକ୍ଟର ଚାଷ ଉଜୁଡ଼ି ଯାଇଛି । ଏବେ ଯେଉଁ ୭୮ ହଜାର ହେକ୍ଟର ଚାଷ ଅଛି, ତାହା ମଧ୍ୟ ଲଘୁଚାପ ଜନିତ ବର୍ଷାଦ୍ୱାରା କ୍ଷୟକ୍ଷତି ଘଟିଛି । ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି । ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ । ବାଲିପାଟଣା ଓ ବାଲିଅନ୍ତା ବ୍ଳକର ହଜାର ହଜାର ଲିଫ୍ଟ ପଏଂଟଂଟ ଅଚଳ । ବହୁ ଫସଲ ଚାଷଜମି ବିଲ୍ଡରଙ୍କ କବଜାରେ । ପାଣି ପଂଚାୟତ ଫେଲ୍ । ଅନେକ ସ୍ଥାନରେ ଆଗରୁ ଥିବା କେନାଲ ବନ୍ଧବାଡ଼ ସବୁ ପୋତି ହୋଇ ଗଲାଣି । ଠିକଣା ସମୟରେ କେନାଲରେ ପାଣି ଆସୁନାହିଁ । ଏହାର ପୁନରୁଦ୍ଧାର କରାଯିବା ଏକାନ୍ତ ଜରୁରୀ । ଚାଷ ଜମିକୁ ଭୁବନେଶ୍ୱର ନାକ ପାହାନ୍ତାରେ ଜଳସେଚନ କ୍ଷେତ୍ରରେ କୌଣସି ସୁବିଧା ନାହିଁ । ଏଭଳି ପରିସ୍ଥିତିରେ ସରକାର ନୀରବଦ୍ରଷ୍ଟା ରହିବା ଏବଂ ଚାଷୀଙ୍କ ବାସ୍ତବ ସ୍ଥିତିକୁ ନ ପରଖିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀ କହିଛନ୍ତିି । ଯଦି ଏହି ଦିଗରେ ସରକାର ଆଶୁ ପଦକ୍ଷେପ ନ ନିଅନ୍ତିିି, ଆଗାମୀ ଦିନରେ ଜିଲା ଓ ବ୍ଳକ କଂଗ୍ରେସ ନେତୃତ୍ୱରେ କିଷାନ କଂଗ୍ରେସ ପକ୍ଷରୁ ଚାଷୀ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *