ମଧୁବାବୁଙ୍କୁ ଭାରତ ରତ୍ନ ଦାବି, ବିଭିନ୍ନ ଜିଲ୍ଲାର ଓକିଲଙ୍କ ସ୍ୱାକ୍ଷର ସଂଗ୍ରହ

ଭୁବନେଶ୍ୱର, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)-ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଦାବି ଯୋର ଧରିଛି । ଏନେଇ ବିଭିନ୍ନ ଜିଲ୍ଲାର ଆଇନଜୀବୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଛି । ବାରଙ୍ଗ ନିକଟ ତ୍ରୀଶୁଳିଆ ଠାରେ କଟକ ମଧୁ ବାରିଷ୍ଟର ଲୟର୍ସ ଆସୋସିଏସନ୍ ସହଯୋଗରେ ହାଇକୋର୍ଟ ବାର୍ ଆସୋସିଏସନ୍, ରେଭନ୍ୟୁ ବାର୍ ଆସୋସିଏସନ୍, କ୍ରିମିନାଲ୍ ବାର୍ ଆସୋସିଏସନ୍, ଜଗତସିଂହପୁର ବାର୍ ଆସୋସିଏସନ୍, ଢ଼େଙ୍କାନାଳ ବାର୍ ଆସୋସିଏସନ୍ ଓ ଭୁବନେଶ୍ୱର ବାର୍ ଆସୋସିଏସନର ଶତାଧିକ ସଭ୍ୟ ସ୍ୱାକ୍ଷର ସଂଗ୍ରହ ଅଭିଯାନରେ ସାମିଲ ହେବା ସହ ମଧୁବାବୁଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ମଧୁବାବୁଙ୍କ ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁ ବାବୁଙ୍କ ଜୟନ୍ତୀ ଦିନ ସରକାରୀ ଛୁଟି ଘୋଷଣା ଓ କୋର୍ଟ ନିକଟ ରାସ୍ତାକୁ ମଧୁ ବାବୁଙ୍କ ନାମରେ ନାମକରଣ କରିବା ପାଇଁ ଦାବି କରାଯାଇଛି । ଓଡ଼ିଶା ଲୟର୍ସ ଫୋରମର ଆବାହକ ହାଇକୋର୍ଟ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମରେ ସରୋଜ କୁମାର ସାହୁ, ହାକିମ୍ ଖାଁ, ଶୁଭେନ୍ଦୁ ମହାନ୍ତି, ମଧୁ ବାରିଷ୍ଟର ଲୟର୍ସ ଆସୋସିଏସନ୍ ସଭାପତି ସଂଗ୍ରାମ କେଶରୀ ଦାସ, ସମ୍ପାଦକ ଗଗନ ବାରିକ୍, ତ୍ରିଲୋଚନ ରାମ, ପ୍ରିୟରଞ୍ଜନ ମହାନ୍ତି, ପ୍ରଭାତ କୁମାର ତ୍ରିପାଠୀ, ବିଜୟ କୁମାର ସାହୁ, ରାଜେନ୍ଦ୍ର ଦାସ ଙ୍କ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ନୂଆଦିଲ୍ଲୀରେ ବାସ କରୁଥିବା ମଧୁପ୍ରେମୀ ଓ ସୁପ୍ରୀମକୋର୍ଟ ପରିସରରେ ସ୍ୱାକ୍ଷର ସଂଗ୍ରହ କରାଯିବା ସହ ଝାଡ଼ଖଣ୍ଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ତିରୂପତି, କୋଳକତା, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରାଖଣ୍ଡ, ତ୍ରିପୁରା, ଆସାମରେ ଓ ମିଜୋରାମ ରାଜ୍ୟ ସମେତ ୧୯ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି ।

Leave a Reply

Your email address will not be published. Required fields are marked *