ଭୁବନେଶ୍ୱର,୧୭/୦୮/୨୦୨୫(ଓଡ଼ିଶା ସମାଚାର/ପିଆଇବି) : ସ୍ୱାଧୀନତା ଦିବସର ଐତିହାସିକ ଅବସରରେ, ଆଂଚଳିକ ସମାଚାର ୟୁନିଟ୍ (ଆରଏନୟୁ), ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏହାର ପ୍ରଥମ ସମ୍ବଲପୁରୀ ଭାଷା ସମାଚାର ବୁଲେଟିନ୍ ଶୁଭାରମ୍ଭ କରିଛି । ପ୍ରଥମ ବୁଲେଟିନ୍ ସକାଳ ୧୧ ଟାରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଥିଲା ଏବଂ ଡିଡି ନ୍ୟୁଜ୍ ଓଡ଼ିଆର ସରକାରୀ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା । ଉଦଘାଟନୀ ବୁଲେଟିନ୍ ସମଗ୍ର ଭାରତ ଏବଂ ଓଡ଼ିଶାରେ ସ୍ୱାଧୀନତା ଦିବସ ପାଳନ ଉପରେ ଆଲୋକପାତ କରିଥିଲା ।
ଏହା ସହିତ ପଶ୍ଚିମ ଓଡ଼ିଶାର କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଶେଷ କଭରେଜ୍ କରାଯାଇଥିଲା । ଏହି ଶୁଭାରମ୍ଭକୁ ପାଳନ କରିବା ପାଇଁ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ଭୁବନେଶ୍ୱରର ଉପ-ମହାନିର୍ଦ୍ଧେଶକ (ଇ) ଶ୍ରୀ ନରସିଂହ ଜେଠୀ ଅଧ୍ୟକ୍ଷତା କରିଥିଲେ । ଦୂରଦର୍ଶନ ଭୁବନେଶ୍ୱର, ଆକାଶବାଣୀ, କଟକ ଏବଂ ପ୍ରେସ୍ ଇନଫର୍ମେଶନ୍ ବ୍ୟୁରୋ (ପିଆଇବି) ଭୁବନେଶ୍ୱରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ମିହିର ମେହେର ଏବଂ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ସମେତ ଓଡ଼ିଶାର ସମ୍ବଲପୁରୀ ଭାଷାଭାଷୀ ଅଂଚଳର ପ୍ରମୁଖ ଅତିଥିମାନେ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ ।
ଶ୍ରୀ ଜେଠୀ ତାଙ୍କ ଭାଷଣରେ କହିଥିଲେ ଯେ “ସମ୍ବଲପୁରୀ ନ୍ୟୁଜ୍ ବୁଲେଟିନ୍ ଆରମ୍ଭ କରିବା ଏକ ଗର୍ବ ଏବଂ ଖୁସିର ମୁହୂର୍ତ । ଏହି ବୁଲେଟିନ୍ ଓଡ଼ିଶାର ଏକ ଗୁରୁତ୍ୱୂର୍ଣ୍ଣ ଅଂଚଳର ଆବଶ୍ୟକତାକୁ ପୂରଣ କରିବ । ଶ୍ରୀ ମିହିର ମେହେର ଏହାକୁ ଏକ “ଐତିହାସିକ ଦିନ’ ବୋଲି କହିଥିଲେ ଏବଂ ବୁଲେଟିନକୁ ବାସ୍ତବତାରେ ପରିଣତ କରିବାରେ ସମ୍ପୃକ୍ତ ଦଳର ପ୍ରୟାସକୁ ପ୍ରଶଂସା କରିଥିଲେ । ଶ୍ରୀ ଅଶୋକ ପାଣିଗ୍ରାହୀ ମଧ୍ୟ ଏହି ଶୁଭାରମ୍ଭର ପ୍ରଶଂସା କରିଥିଲେ ଏବଂ ସମ୍ବଲପୁରୀ ଭାଷାଭାଷୀ ଅଂଚଳ ଉପରେ ଆଧାରିତ ବିଷୟବସ୍ତୁକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
ଦୂରଦର୍ଶନ ଭୁବନେଶ୍ୱରର ଆଂଚଳିକ ସମାଚାର ୟୁନିଟ୍ର ମୁଖ୍ୟ ଶ୍ରୀ ଅଭିଷେକ ମିଶ୍ର ସଫଳ ଶୁଭାରମ୍ଭରେ ସାମିଲ ଥିବା ସମସ୍ତ ନ୍ୟୁଜ୍ ରିଡର୍ସ, କପି ଏଡିଟର, ପ୍ରଡକ୍ସନ୍ ଟିମ୍ ଏବଂ ବୈଷୟିକ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସେ ଦୂରଦର୍ଶନ ଭୁବନେଶ୍ୱରର ଉପ- ମହାନିର୍ଦ୍ଧେଶକ (ଇ) ଏବଂ କାର୍ଯ୍ୟକ୍ରମ ମୁଖ୍ୟଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ । ଶ୍ରୀ ମିଶ୍ର ଆଶ୍ୱାସନା ଦେଇଥିଲେ ଯେ ସମ୍ବଲପୁରୀ ବୁଲେଟିନ୍ ରେ ସୂଚନାପ୍ରଦ, ଆକର୍ଷଣୀୟ ଏବଂ ଓଡ଼ିଶାର ସମ୍ବଲପୁରୀ ଭାଷାଭାଷୀ ଅଂଚଳର ଖବରକୁ ଉପସ୍ଥାପିତ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯିବ ।
