୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି। ରାଜ୍ୟର ସହରାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବା ପାଇଁ ସରକାରଙ୍କ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ କାମ କରିବ। ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ସେହିପରି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ କ୍ୟାବିନେଟ୍ ମୋହର ମାରିବା ସହ ୫ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଂଜୁରୀ ମିଳିଛି। ମେଟ୍ରୋ ରେଳ ପ୍ରକଳ୍ପ ଡିପିଆରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଫେଜ-୧ ଡିପିଆରକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରାଯାଇଛି। ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାନିବିଲି ଗାଁ ନିକଟ ଋଶିକୁଲ୍ୟା ନଦୀରେ ବ୍ୟାରେଜ୍ ନିର୍ମାଣ କରାଯାଇଛି। ୫ବର୍ଷ ଭିତରେ ଏହି ବହୁମୁଖୀ ପ୍ରକଳ୍ପ ନିର୍ମାଣ କରାଯିବ ଏବଂ ଏଥିରେ ବିଦ୍ୟୁତ ଶକ୍ତି ଉତ୍ପାଦନ ସହିତ ରାସ୍ତା ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ବ୍ରହ୍ମପୁରରେ ପ୍ରସ୍ତାବିତ ରିଂରୋଡକୁ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଆମ ହସପିଟାଲ୍ ଯୋଜନା କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଫେଜ୍-୧ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଗଡିବ। ପ୍ରଥମ ପର୍ଯ୍ୟାୟ କାମ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ  ରଖାଯାଇଛି। ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ ଷ୍ଟେସନ ରହିବ। ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପୂରା ଓଭରବ୍ରିଜ୍‌ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ରହିବ। ଏଥି ସହିତ ଅତ୍ୟାଧୁନିକ କୋଚ୍, ଟିକେଟ ଓ ସିଗ୍ନାଲ ବ୍ୟବହାର କରାଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ବାରା ନିର୍ମାଣ କାମ ପାଇଁ ନିଷ୍ପତ୍ତି ହୋଇଛି।

ସେହିପରି କ୍ୟାବିନେଟ ବୈଠକରେ ଆଜି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପ-ଜିଲ୍ଲାପାଳଙ୍କଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣ ଉଦ୍ଦେଶ୍ୟରେ ତାର ଭୂସଂପତ୍ତି ଉପହାର କରିପାରିବେ । କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ।

Leave a Reply

Your email address will not be published. Required fields are marked *