ନିଶ୍ଚିନ୍ତକୋଇଲି, ୦୬/୯/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )-ଗୁରୁ ଅଗ୍ରପୂଜ୍ୟ, ଗୁରୁହିଁ’ ଚିର ବନ୍ଦନୀୟ । ଗୁରୁଙ୍କ ଆଶୀର୍ବାଦ ଏବଂ ନୀତିନିଷ୍ଠ କର୍ତ୍ତବ୍ୟପରାୟଣତା ଯୋଗୁଁ ଏକ ଆଦର୍ଶ ସମାଜ ଗଠନ ସମ୍ଭବ ହୋଇପାରିଛି ବୋଲି
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁ ଗୌରବ ସମ୍ମାନ ସମାରୋହରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକର କୁଳଗାଁ ଇଶାଳୋ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ମନୋଜ ପ୍ରଧାନଙ୍କ ପୌରହୀତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ
ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମାଜରେ ଭଲ ମଣିଷ ତିଆରି କରିବାରେ ନିଜ ଜୀବନକୁ ଉତ୍ସର୍ଗ କରିଆସୁଥିବା ଗୁରୁମାନଙ୍କୁ କେବଳ ପ୍ରଶଂସା ନୁହେଁ,ଅନ୍ତରରୁ ପୂଜା କରିବାକୁ ବିଧାୟକ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଧେ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତିର ମାଟି ମାହାଙ୍ଗାରେ ଏଭଳି ଏକ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଯୁବ ବିଧାୟକଙ୍କୁ ସେ କୃତଜ୍ଞତା ଜଣାଇଥିଲେ । ସମାଜ ଗଠନରେ ଗୁରୁ ସର୍ବଶ୍ରେଷ୍ଠ ବିନ୍ଧାଣୀ ବୋଲି ଜିଲ୍ଲାପାଳ କହିଥିଲେ । ଉତ୍ସବରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଉଭୟ ବ୍ଲକ ଶିକ୍ଷାଧିକାରୀ, ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ ।୨ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁ ପୂଜନ ସମିତି ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ମାହାଙ୍ଗା ନିର୍ବାଚନମଣ୍ଡଳୀ ରେ ଗୁରୁ ଗୌରବ ସମ୍ମାନ ସମାରୋହ ଅନୁଷ୍ଠିତ
