କଟକ, ୦୪/୯/୨୦୨୪ (ଓଡ଼ିଶା ସମାଚାର)- ଐତିହାସିକ କଟକ ବାଲିଯାତ୍ରା ପାଇଁ ସମୟ ଘୋଷଣା କରାଯାଇଛି। କଟକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୧୫ରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେବ ବୋଲି ଜଣାପଡିଛି।
ବୁଧବାର ବସିଥିବା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲାପାଳ। ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ଏବେ ନିଷ୍ପତ୍ତି ହୋଇନି। ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ ଆଲୋଚନା କରାଯିବ।
ତେବେ ଚଳିତ ବର୍ଷ ବାଲିଯାତ୍ରାରେ ଟ୍ରାଫିକ୍ ପରିଚାଳନା ଓ ଟଏଲଟ୍ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି। ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।
କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ ।