ମାହାଙ୍ଗା, ୨୮/୦୬/୨୦୨୪ଓଡିଶା ସମାଚାର/ ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ପୀଠ କୁସୁପୁର ଗ୍ରାମ ନିକଟରେ ନିର୍ମିତ ପଲ୍ଲିକବି ନନ୍ଦକିଶୋର ବଳଙ୍କ ତୋରଣ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାର ପୁନରୁଦ୍ଧାର ପାଇଁ ବିଧାୟକ ସାରଦା ପ୍ରଧାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସକାଳେ ବିଧାୟକ କୁସୁପୁର ଠାରେ ପହଂଚି ପଲ୍ଲିକବିଙ୍କ ସ୍ମୁତିରେ ନିର୍ମିତ ଏହି ସ୍ମାରକୀକୁ ପରିଦର୍ଶନ କରିଥିଲେ । ବିଧାୟକଙ୍କ ସହିତ ସ୍ଥାନୀୟ ବ୍ଲକ ପ୍ରଶାସନ, ପଞ୍ଚାୟତର ବହୁ ବୁଦ୍ଧିଜୀବୀ, କଳା ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଏହି ତୋରଣ ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ବର୍ମା ଏକ ଲକ୍ଷ ଟଙ୍କା ଯୋଗାଇଦେଇଥିଲେ । ତେବେ ଦୀର୍ଘ ୧୫ ବର୍ଷ ପୂର୍ବେ ନିର୍ମିତ ଏହି ସ୍ମୁତି ତୋରଣ ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦିଆ ନଯିବାରୁ ତୋରଣରୁ ଗ୍ରାନାଇଟ ଖସିପଡ଼ିଥିଲା । ଏଥିସହିତ ରକ୍ଷଣା ବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ହୋଇପଡିବା ଅଭିଯୋଗ ହେଉଥିଲା । ତେବେ ଆସନ୍ତା ଶନିବାର ପଲ୍ଲୀ କବିଙ୍କ ତିରୋଧାନ ତିଥି ଥିବାରୁ ବିଧାୟକ ଶ୍ରୀ ପ୍ରଧାନ କବିଙ୍କ ଜନ୍ମମାଟିରେ ପହଂଚି ଯଶସ୍ବୀ ସ୍ରଷ୍ଟା କବି ନନ୍ଦକିଶୋରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୁତି ତୋରଣ କାର୍ୟ୍ୟ ସମ୍ପାଦନ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।