ଭୁବନେଶ୍ୱର, ୨୪/୮/୨୦୨୪ (ଓଡ଼ିଶା ସମାଚାର)- ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ମାନଙ୍କରେ, ବୈଦିକ ଶ୍ରାବଣୀ ଉପାକର୍ମ ପର୍ବ ସାରା ଓଡ଼ିଶାରେ ଚାଲିଥିବା ବେଳେ, ଶନିବାର ପୂର୍ବାହ୍ନରେ ଶହୀଦନଗର ଆର୍ଯ୍ୟସମାଜ ସଭା ମଣ୍ଡପଠାରେ ଶ୍ରାବଣୀ ପର୍ବର ଷଷ୍ଠ ଦିବସରେ ପୌରହିତ୍ୟ କରି ଭାରତବର୍ଷର ପ୍ରଖ୍ୟାତ ବୈଦିକ ବିଦ୍ୱାନ, ଡଃ ଇଞ୍ଜିନିୟର ପ୍ରିୟବ୍ରତ ଦାସ କହିଲେ ଯେ, “ବେଦ” ଅପୌରେତେୟ, ଏହା ସ୍ୱୟଂ ପରମାତ୍ମାଙ୍କର ବାଣୀ । ଏହା ବିଶ୍ୱର ପ୍ରତ୍ୟେକ ଜୀବ ଜଗତର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭଗବାନ ତଥାଗତ ବୁଦ୍ଧଙ୍କ ଜନ୍ମର ୩୦୦ ବର୍ଷ ପରେ ଆଚାର୍ଯ୍ୟ ଶଙ୍କରଙ୍କର, ପ୍ରକଟ ହେବା ପରେ ହିନ୍ଦୁଧର୍ମର ସୁରକ୍ଷା ପାଇଁ, ତାଙ୍କର ୩୨ବର୍ଷ ଜୀବନକାଳ ଥିଲା ଭାରତ ବର୍ଷ ପାଇଁ ଆଶୀର୍ବାଦର ବର୍ଷ । କିନ୍ତୁ ଆଚାର୍ଯ୍ୟ ଶଙ୍କର ବେଦର ବାଣୀକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା ପରିବର୍ତେ ସେ ପ୍ରସ୍ଥାନତ୍ରୟୀ, ଗୀତା ବ୍ରହ୍ମସୂତ୍ର ଓ ଉପନିଷଦ ଉପରେ ଗୁରୁତ୍ୱ ଦେଲେ । ୬୦୦ ବର୍ଷ ତଳେ ଆଚାର୍ଯ୍ୟ ସାୟାଣ, ମହିଧର ଏପରିକି ଜର୍ମାନୀ ବିଦ୍ୱାନ ମ୍ୟାକ୍ସମୁଲାର ବେଦର ବାଖ୍ୟା କରିଛନ୍ତି । କିନ୍ତୁ ୨୦୦ ବର୍ଷ ତଳେ ମହର୍ଷି ଦୟାନନ୍ଦଙ୍କ ଆବିର୍ଭାବ ହେବା ପରେ ସେ, ହିଁ ଗୁରୁ ବିରଜାନନ୍ଦଙ୍କ ଠାରୁ ବେଦଜ୍ଞାନ ପ୍ରାପ୍ତ ହୋଇ, ବେଦକୁ ସାଧାରଣ ଜନତାଙ୍କ ବୁଝିବା ଭାଷାରେ ବେଦଭାଷ୍ୟ କଲେ, ଯାହା ବର୍ତମାନ ସୁଦ୍ଧା ଭାରତ ବର୍ଷରେ ସର୍ବମାନ୍ୟ ହୋଇ ରହିଛି । ଏହି ଅବସରରେ ଡଃ ଜ୍ଞାନେନ୍ଦ୍ରଙ୍କୁ ବିଶିଷ୍ଟ ବୈଦିକ ବିଦ୍ୱାନ ଡଃ ଇଞ୍ଜିନିୟର ପ୍ରିୟବ୍ରତ ଦାସ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।