ଓଡ଼ିଶୀ ନୃତ୍ୟର ବିକାଶରେ ସଂଯୁକ୍ତା ପାଣିଗ୍ରାହୀଙ୍କ ସମଗ୍ର ଜୀବନ ସମର୍ପିତ ଥିଲା

ଭୁବନେଶ୍ୱର,୨୪/୮/୨୦୨୪ (ଓଡ଼ିଶା ସମାଚାର)- ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୮୦ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ପ୍ରତିମୂର୍ତିସ୍ଥଳୀରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡକ୍ଟର ରଙ୍ଗାଧର ସାହୁ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ଅମିତ୍ ପାତାଳସିଂହ, ସ୍ୱରାଜ ସେଠୀ, ଗୌରହରି ବିଶୋଇ, ଇରାରାଣୀ ସାହୁ, ଦଶମନ୍ତୀ ହେମ୍ବ୍ରମ୍, ପ୍ରତିକ୍ଷା ନନ୍ଦ, ସୂର୍ଯ୍ୟକାନ୍ତୀ ପ୍ରଧାନ, ଜଳନ୍ଧର ନାୟକ, ସତ୍ୟାନନ୍ଦ ମିଶ୍ର, ଜୟଗୁରୁ ପ୍ରଧାନ, ଲାନା ବାବୁ, ସୁଶାନ୍ତ ବିଶୋଇ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ଗୁରୁ କେଳୁଚରଣ ମହାପାତ୍ରଙ୍କର ଶିଷ୍ୟା ସଂଯୁକ୍ତା ପାଣିଗ୍ରାହୀ ଓଡ଼ିଶୀ ନୃତ୍ୟାଙ୍ଗନା ଭାବେ ଉଚ୍ଚକୋଟିର ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ ବହୁ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଇ ସେମାନଙ୍କୁ ସୁପ୍ରତିଷ୍ଠିତ କରିପାରିଥିଲେ  । ଶ୍ରୀମତୀ ପାଣିଗ୍ରାହୀଙ୍କ ଓଡ଼ିଶୀ ନୃତ୍ୟ ଓ ତାଙ୍କ ସ୍ୱାମୀ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସଂଗୀତର ଯୁଗଳବନ୍ଦୀ ଓଡ଼ିଶାରେ କଳାର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା  । ଉଭୟ ଦମ୍ପତି, ଓଡ଼ିଶାର କୋଣ ଅନୁକୋଣ ସହ ଓଡ଼ିଶା ବାହାରେ ଓ ବିଦେଶରେ ବହୁବାର ନୃତ୍ୟ ପରିବେଷଣ କରି ଓଡ଼ିଶାର ସୁନାମକୁ  ବିଶ୍ୱବିଦିତ କରିଥିଲେ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  । ଏହାପରେ ରବୀନ୍ଦ୍ର ମଣ୍ଡପ ପରିସରରେ ଥିବା ଶ୍ରୀମତୀ ପାଣିଗ୍ରାହୀଙ୍କ ପ୍ରତିମୂର୍ତିରେ ବିଭାଗ ତରଫରୁ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା  ।

Leave a Reply

Your email address will not be published. Required fields are marked *