ଇନ୍ଦୁପୁର ହତ୍ୟାକାଣ୍ଡରେ ସଂପୃକ୍ତ ୬ ଗିରଫ

କେନ୍ଦ୍ରାପଡ଼ା, ୨୨/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ବିରୂପା ନଦୀ ପୋଲ ଉପରେ ବାଡେଇ ବାଡେଇ ପୋଲ ଉପରୁ ନଦୀକୁ ଫିଙ୍ଗିଦେବା ଘଟଣାରେ ନିକିରାଇ ପୋଲିସକୁ ସଫଳତା ମିଳିଛି । ନିକିରାଇ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ପୋଲିସ ନିକଟରେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି । ପରକୀୟା ପ୍ରୀତିରୁ ଏଭଳି ଅଘଟଣ ଘଟିଛି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ପ୍ରକାଶ ଥାଉକି ଗତ ୧୪ ତାରିଖରେ ନିକିରାଇର ମଂଟୁ ମଲ୍ଲିକକୁ ମାରି ପୋଲ ଉପରୁ ବିରୂପା ନଦୀକୁ ଫିଙ୍ଗି ଦିଆଯାଇଥିଲା । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଯାଜପୁର ଜିଲାର ବରୀ ଥାନା ଅନ୍ତର୍ଗତ କୃଷ୍ଣନଗର ଗ୍ରାମର । ସେମାନେ ହେଉଛନ୍ତି ଟିକିଲି ଜେନା, ଟିକିଲିଙ୍କ ପୁଅ ଲିଟୁନା ଜେନା, ବଂଟି ଜେନା, ଟିକିଲିଙ୍କ ସମ୍ପର୍କୀୟ ଦିପୁ ଜେନା, ଅଶ୍ୱିନୀ ଜେନା ଓ କିଶୋର ଜେନା । ଗିରଫ ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ଏହି ବିଭତ୍ସ ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରିତି ଥିବା ପୋଲିସ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ଟ୍ରାକ୍ଟର ଚାଳକ ମଂଟୁ ମଲ୍ଲିକ ଅଗଷ୍ଟ ୧୪ ତାରିଖ ସକାଳେ ତାଙ୍କ ସାଙ୍ଗ କୃଷ୍ଣନଗର ଅଂଚଳର ଦିପୁ ଜେନାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଭେଟିଥିଲେ । ଏହି ସମୟରେ ଦିପୁର ବାପା ଟିକିଲି ଜେନା ମଂଟୁଙ୍କୁ ତାଙ୍କ ବୋହୁ ସହ ଦେଖି ବିରକ୍ତ ପ୍ରକାଶ କରିବା ସହ ମାରଧର କରିଥିଲେ । ମଂଟୁ ସେଠାରୁ ପଳାଇ ଆସି ଇନ୍ଦୁପୁର ଛକରେ ବୁଲୁଥିବାବେଳେ ଦିନ ୨ଟା ବେଳେ ସେଠାରେ ଟିକିଲି ଜେନାଙ୍କ ସହ ଭେଟ ହୋଇଗଲା । ମଂଟୁ ରାଗ ଶୁଝାଇବାକୁ ଯାଇ ଟିକିିଲିଙ୍କୁ ମାଡ ମାରିଥିଲା । ଟିକିଲି ମାଡ ଖାଇ ଘଟଣାସ୍ଥଳକୁ ତାଙ୍କର ଦୁଇପୁଅ ଲିଟୁନା ଓ ବଂଟିକୁ ଫୋନ କରି ଡାକିଥିଲା । ବାପ ପୁଅ ୩ଜଣ ମିଳିତ ଭାବେ ମଂଟୁକୁ ମାଡ ମାରି ସାଙ୍ଗରେ କୃଷ୍ଣନଗର ନେଇ ଯାଇଥିଲେ । ସେଠାରେ ଅନ୍ୟ ଅଭିଯୁକ୍ତମାନେ ମିଶି ମଂଟୁକୁ ମାଡ ମାରିବା ସହ ପୁନର୍ବାର ଆଣି ବିରୂପା ପୋଲ ଉପରୁ ନଦୀକୁ ଠେଲି ଦେଇଥିଲେ । ଘଟଣା ଘଟିବା ପରଦିନ ଅର୍ଥାତ୍ ଅଗଷ୍ଟ ୧୫ ତାରିଖ ଦିନ ବ୍ରାହ୍ମଣୀ ନଦୀରୁ ମଂଟୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ମଂଟୁ ମଲ୍ଲିକଙ୍କ ଭାଇ ଶରତ ମଲ୍ଲିକଙ୍କ ଅଭିଯୋଗ କ୍ରମେ ନିକିରାଇ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *