ଜଣେ ସଭ୍ୟାଙ୍କ ହାତ କ୍ଷତାକ୍ତ, ଚୌକି ମାଡ଼ରେ ଅନ୍ୟ ଜଣେ ଆହତ
ଜିଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଲା
କେନ୍ଦ୍ରାପଡ଼ା,୨୨/୮/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ପରିଷଦ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ତଥା ୫ ନଂ. ଜୋନ୍ ଜିଲା ପରିଷଦ ସଭ୍ୟା ଲିଲିତା ଦାସ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବା ପରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଦୁଇଜଣ ଜିଲା ପରିଷଦ ସଭ୍ୟାଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁ ଦୁଇଜଣ ଜିଲା ପରିଷଦ ସଭ୍ୟା ହାତାହାତି ହୋଇଥିଲେ ସେମାନେ ଜିଲା ପରିଷଦ ସଭାପତି ଦୌଡରେ ଥିଲେ । କିନ୍ତୁ ନବୀନ ନିବାସରୁ ଆସିଥିବା ବନ୍ଦ ଲଫାପା ସମସ୍ତ ପାଣିପାଗକୁ ବଦଳାଇ ଦେଇଥିଲା । ବନ୍ଦ ଲଫାପା ମଧ୍ୟରେ ୫ ନଂ. ଜୋନ ଜିଲା ପରିଷଦ ସଭ୍ୟା ଲିଲିତା ଦାସଙ୍କ ନାମ ରହିଥିଲା । ଲିଲିତା ଜମାରୁ ଚର୍ଚ୍ଚାରେ ନଥିଲେ । ଲିଲିତାଙ୍କ ନାମ ଘୋଷଣା ହେବା ପରେ ଚର୍ଚ୍ଚାରେ ଥିବା ଦୁଇ ଜିଲା ପରିଷଦ ସଭ୍ୟା ପରସ୍ପରକୁ ଦୋଷାରୋପ କରିଥିଲେ । ଜଣେ କହିଥିଲେ ତୋ ଯୋଗୁ ମୋ ନାମ କଟିଲା ଅନ୍ୟ ଜଣେ କହିଥିଲେ ତୋ ଯୋଗୁ ମୋ ନାମ କଟିଲା । ଏହିପରି ପ୍ରଥମେ କଥା କଟାକଟି ହୋଇଥିଲା । ପରେ ହାତାହାତି ହୋଇଥିଲା । ଜଣେ ଜିଲା ପରିଷଦ ସଭ୍ୟାଙ୍କ ହାତରେ ଚୁୁଡି ପଶିଯାଇ ରକ୍ତ ବାହାରିଥିଲା । ସେହିପରି ଚୌକି ପାହାରରେ ଅନ୍ୟ ଜଣେ ଜିଲା ପରିଷଦ ସଭ୍ୟାଙ୍କ ଗୋଡରେ କ୍ଷତ ସୃଷ୍ଟି ହୋଇ ରକ୍ତ ବାହାରିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏହି ଝଗଡ଼ାକୁ ରୋକିବାରେ ବିଜେଡିର ଅନ୍ୟ ଜିଲା ପରିଷଦ ସଭ୍ୟ/ସଭ୍ୟାମାନେ ସକ୍ଷମ ହୋଇ ନଥିଲେ । ଶେଷରେ କଥା ପହଂଚିଥିଲା ଜିଲାପାଳଙ୍କ ନିକଟରେ । ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଉଭୟ ସଭ୍ୟାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସଭ୍ୟା ଦୁହେଁ ଦଳର ଶୃଙ୍ଖଳା ଭଙ୍ଗ କରି ଏହିପରି ହାତାହାତି ହୋଇଥିଲେ । କିଏ ସଭାପତି ହେବ ସେ ନିଷ୍ପତି ଦଳର ସଭାପତି ନବୀନ ପଟ୍ଟନାୟକ ନେଇଥିଲେ । ସେ ବନ୍ଦ ଲଫାପାରେ ସଭାପତିଙ୍କ ନାମ ଲେଖି ପଠାଇଥିଲେ । ଫଳରେ ଲିଲିତା ଦାସ ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହାକୁ ଅନ୍ୟ ସଭ୍ୟାସଭ୍ୟାମାନେ ସମ୍ମାନ ଜଣାଇବା କଥା । କିନ୍ତୁ ନିଜର ସ୍ୱାର୍ଥ ସାଧନ ନ ହେବାରୁ ଉଭୟ ହାତାହାତି ହେବା ଘଟଣା ଦଳର ଶୃଙ୍ଖଳାକୁ ଭଙ୍ଗ କରିଛି । ଏ ସଂକ୍ରାନ୍ତରେ ବିଜେଡି ଜିଲା ସଭାପତି ଧୀରେନ୍ ସାହୁଙ୍କୁ ପଚାରିବାରୁ ସେ କହିଲେ ଦଳ କାହାକୁ ସଭାପତି ପଦରେ ବସାଇବ ସେ ନିଷ୍ପତିି ଦଳ ହାଇକମାଣ୍ଡ ନେଇଥାନ୍ତି । ଦଳର ସଦସ୍ୟଭାବେ ସେହି ନିଷ୍ପତିକୁ ସମସ୍ତେ ଗ୍ରହଣ କରିବା ଉଚିତ । ନିଜ ମଧ୍ୟରେ ବିଶୃଙ୍ଖଳା କରିବା ଅର୍ଥ ହାଇକମାଣ୍ଡଙ୍କ ନିଷ୍ପତିକୁ ଗ୍ରହଣ ନ କରିବା ସେଙ୍ଗ ସମାନ ।