ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ-ଆଇନମନ୍ତ୍ରୀ
ପଦ ନୁହେଁ, ସେବା ମୋର ଧର୍ମ-ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର, ୧୯/୮/୨୦୨୪ (ଓଡ଼ିଶା ସମାଚାର)- ଖୁବ୍ଶୀଘ୍ର ବିଶ୍ୱର କୋଣ ଅନୁକୋଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମକୁ ଛୁଟି ଆସୁଥିବା ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଯୋଗାଇ ଦିିଆଯିବ । ଯାହାଦ୍ୱାରା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ଆନନ୍ଦର ସହ ହାତରେ ମହାପ୍ରସାଦ ଧରି ଘରକୁ ଫେରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ହୋଟେଲ ପ୍ରେସିଡେନ୍ସି ଠାରେ ନାଗରିକ ସମାଜ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାଜ୍ୟରେ ପୂର୍ବରୁ ଥିବା ସରକାର ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବାରେ ସମର୍ଥ ହୋଇନଥିଲେ । ବିଜେପି ସରକାର ତା’ର ସଂକଳ୍ପକୁ ସିଦ୍ଧି କରିବା ଲାଗି ପ୍ରଥମ କ୍ୟାବିନେଟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମହାପ୍ରଭୁଙ୍କ ଚାରିଦ୍ୱାର ଖୋଲିଲା । ଏବେ ଗଣତି ଓ ମଣତି ପ୍ରକି୍ରୟା ଭିତରେ ରହିଛି । ଖୁବ୍ ଶୀଘ୍ର ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ଡ଼ିଜିଟାଇଜେସନ କରାଯାଇ ବିଶ୍ୱବ୍ୟାପୀ କରାଯିବ । ଯାହାଦ୍ୱାରା ପ୍ରତ୍ୟେକ ଲୋକ ଘରେ ଥାଇ ମଧ୍ୟ ମହାପ୍ରଭୁଙ୍କ ଅଳଙ୍କାର ସମ୍ପର୍କରେ ଜାଣିପାରିବେ । କେବଳ ସେତିକି ନୁହେଁ ଇଂଟର ପ୍ରିଟିସନ ସେଂଟର କରାଯିବ । ଯାହାଦ୍ୱାରା ଯେଉଁ ଭକ୍ତମାନେ ମହାପ୍ରଭୁଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇପାରୁ ନାହାଁନ୍ତି, ସେମାନେ ଦେଖିବାର ସୁଯୋଗ ପାଇବେ । ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଶାର ଲୋକେ ଦାଦନ ଖଟିବାକୁ ପଡ଼ୋଶୀ ରାଜ୍ୟକୁ ଯାଉଥିଲେ । ଏହାର ମୂଳକାରଣ ଖୋଜି ତା’ର ନିରାକରଣ ସ୍ୱରୂପ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟରେ ଶ୍ରମିକ ମଜୁରି ବୃଦ୍ଧି କରାଯାଇଛି । କେବଳ ତାମିଲନାଡୁ ଓ କେରଳ ଭଳି ରାଜ୍ୟକୁ ବାଦ୍ ଦେଲେ ଅବଶିଷ୍ଟ ପଡ଼ୋଶୀ ରାଜ୍ୟରେ ଯେତିକି ଶ୍ରମିକ ପାଉଣା ମିଳୁଛି ଓଡ଼ିଶା ସହିତ ସମାନ କରାଯାଇଛି ବୋଲି ସେ କହିଥିଲେ । ଏହି ଅବସରରେ ଶ୍ରୀ ହରିଚନ୍ଦନ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ଏବଂ ସରକାର କିଭଳି ଠିକ୍ ଢଙ୍ଗରେ ଚାଲିବ, ସେ ସମ୍ପର୍କରେ ଅବଗତ କରାଇଥିଲେ ।
କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଜୀବନରେ ସେ କୌଣସି ପଦପଦବୀ ପାଇଁ ଲାଳାୟିତ ନଥିଲେ । ସେ ଜୀବନରେ ଜଣେ ଅଭିନେତା ହେବା ପାଇଁ ଅଭିଳାସ ରହିଥିଲେ ମଧ୍ୟ ପରବର୍ତୀ ପର୍ଯ୍ୟାୟରେ ସେ କିଭଳି ସଂଘର୍ଷ କରି ନେତା ହେଲେ ତାହା ବଖାଣିଥିଲେ । ସେ କହିଥିଲେ ଯେ, ଯେଉଁ ପିଲାଟି ଦିନେ ପୁଲିସ୍ କୁ ଦେଖିଲେ ଡରୁଥିଲା, ଆଜି ସେ ସମାଜସେବା କରିବାକୁ ଯାଇ ସଂଖ୍ୟାଧିକ ମାମଲାରେ ଜଡ଼ିତ । ଏହାବାଦ୍ କୌଣସି ମାମଲାକୁ ଖାତିର ନକରି ଲୋକଙ୍କ ସେବାକୁ ବ୍ରତୀ ଭାବେ ଧରି ନେଇଛି । ଏବେ ଯେଉଁ ମନ୍ତ୍ରୀପଦ ମିଳିଛି ତାହାଦ୍ୱାରା ଅଧିକ ଆନନ୍ଦିତ ହେବାରକ କିଛି ନାହିଁ । ଜୀବନରେ ସାଲିସ୍ ବିହୀନ ରାଜନୀତିକୁ ଗୁରୁତ୍ୱ ଦେଇଆସିଛି । ସେବା ମୋର ଧର୍ମ ଭାବେ ଗ୍ରହଣ କରିଛି । ଡ. ମହାପାତ୍ର କହିଥିଲେ ଯେ, ନିକଟରେ ବର୍ଷା ସମୟରେ ଲକ୍ଷ୍ମୀସାଗର ପରିଦର୍ଶନ ବେଳେ ଦେଖିଲି ଯେ, ଜଣେ ଛୁଆ ପାଠ ପଢିବା ପାଇଁ କିଭଳି ମୃତୁ୍ୟ ସହିତ ସଂଘର୍ଷ କରିବାକୁ ପଡୁଛି । ଏହାକୁ ନେଇ ପୂର୍ବ ସରକାରର ଦୁର୍ନୀତିଖୋର କାର୍ଯ୍ୟକୁ ନିନ୍ଦା କରିବା ସହିତ ଖୁବ୍ଶୀଘ୍ର ଲୋକେ ପ୍ରକୃତ ସହର କ’ଣ ତାହା ବୁଝିପାରିବେ ବୋଲି କହିଥିଲେ ।
ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବସ୍ତିବାସିନ୍ଦା, କିନ୍ନର, ଉଠାଦୋକାନୀ ସଂଘ, ଆଉଟସୋର୍ସିଂ କର୍ମ•ରୀ ସଂଘ, ଭାରତ ସ୍କାଉଟ ଓ ଗାଇଡ୍, ଜାତୀୟ ଯୁବ ପ୍ରକଳ୍ପ ଭଳି ଶତାଧିକ ସଂଗଠନ ପକ୍ଷରୁ ଉଭୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ନାଗରିକ ସମାଜର ମୁଖ୍ୟ ଉପଦେଷ୍ଟା ପୀୟୂଷ ମହାନ୍ତି, ଏନସିସି ନିର୍ଦ୍ଧେଶକ ସାଗର ମହାନ୍ତି, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥତ ଥିଲେ ।
ରାଜ୍ୟ ନାଗରିକ ସମାଜର ସମ୍ବର୍ଦ୍ଧନା ଉତ୍ସବ
