ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଉତ୍ସବ ପାଳିତ

ଯାଜପୁର, ୧୮/୮/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଅନ୍ତର୍ଗତ ନୂଆହାଡ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଧ୍ୟାପକ ପବିତ୍ର ମୋହନ ମାହାଲାଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି କାର୍ୟ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୂଖ୍ୟ ଅତିଥି, ଯାଜପୁର ସାଂସଦ ଡଃ. ରବିନ୍ଦ୍ର ନାରାୟଣ ବେହେରା ଓ ବଡଚଣା ବିଧାୟକ ଅମର କୁମାର ନାୟକ ସମ୍ମାନିତ ଅତିଥି, ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ପରିଚାଳନା ସମିତିର ସଭାପତି ପ୍ରଧ୍ୟାପକ ତ୍ରିଲୋଚନ ରାଉତ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ଶ୍ରେଣୀ କକ୍ଷକୁ ଅତିଥିମାନଙ୍କ କରକମଳରେ ଶୁଭ ଉଦ୍ଘାଟନ କରାଯାଇଥିଲା।
ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ମହାବିଦ୍ୟାଳୟର ଅଭାବବୋଧକୁ ତୁରନ୍ତ ସମାଧାନ ପାଇ ଚେଷ୍ଟିତ ହେବେ ବୋଲି ପ୍ରତିଶୃତି ଦେଇଥିଲେ। ବିଧାୟକ ଶ୍ରୀଯୁକ୍ତ ନାୟକ ତାଙ୍କ ପିଲା ଦିନର ଅନୁଭୁତି ବର୍ଣ୍ଣନା କରି ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବାର ପ୍ରେରଣା ଦେବା ସହ ଆଗାମୀ ଦିନରେ ମହାବିଦ୍ୟାଳୟର ଉନ୍ନତି କଳ୍ପେ ବଦାନ୍ୟତାର ହାତ ବଢ଼ାଇବାର ଦୃଢ ପ୍ରତିଶୃତି ଦେଇଥିଲେ। ସାଂସଦ ଡଃ. ବେହେରା ଅନୁଷ୍ଠାନର ଗୌରବକୁ ପ୍ରଖ୍ୟାଳନ କରିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାପାଇ ଆହ୍ବାନ ଦେଇଥିଲେ। ଅଧ୍ୟାପକ ଡଃ. ଦୀପକ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରଞ୍ଜିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *