ମାହାଙ୍ଗା ୧୭/୮/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) – ମାହାଙ୍ଗା ପଞ୍ଚାୟତ ସମିତି ସଭାଗୃହରେ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅପରାହ୍ନ ସାଢେ ଚାରିଟାରୁ ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । କାହିଁକି ପୂର୍ବାହ୍ନରେ ସମିତି ବୈଠକ ନହୋଇ ସଂଧ୍ୟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା ସେ ନେଇ ନାନାକଥା ଶୁଣିବାକୁ ମିଳୁଛି । ବିଧାୟକ ଶାରଦା ପ୍ରସାଦ ପ୍ରଧାନ ପଞ୍ଚାୟତ ସମିତି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଏସବୁ ଅଭିଯୋଗ ଗୁଡିକୁ ଶୁଣିଥିଲେ । ସମନ୍ୱୟ ଅଭାବରୁ ମାହାଙ୍ଗା ପଞ୍ଚାୟତ ସମିତିରେ ସ୍ଥାଣୁତା ଦେଖାଦେବା ଆଲୋଚନା ହେଉଛି ।
ପଞ୍ଚାୟତ ଗୁଡିକରେ ୩ ବର୍ଷ ହେବ କାମ ଠିକ ଭାବେ ହୋଇପାରୁନଥିବାରୁ ବିରୋଧି ଦଳ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଗୃହରେ ଘୋର ଉଦବେଗ ପ୍ରକାଶ କରିବା ଚର୍ଚ୍ଚାର ବିଷୟ ହୋଇଛି । ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଏହି ପଞ୍ଚାୟତ ସମିତିରେ ଆଦୌ ଗୁରୁତ୍ୱ ଦିଆନଯାଇ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ମନମାନିକୁ ନେଇ ବହୁ ସରପଞ୍ଚ ଓ ନୋମିନି ମାନେ ବର୍ଷିଥିଲେ । ବିଗତ ୩ ବର୍ଷ ଧରି ମାହାଙ୍ଗା ବ୍ଲକର ୩୭ ଟି ପଞ୍ଚାୟତରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ହୋଇଥିବାରୁ ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ୨୪ ବର୍ଷ ଧରି ଗୋଟିଏ ଦଳ ଲଗାତର ଭାବେ କ୍ଷମତାରେ ଥାଇଁ କିପରି ଦୁର୍ନୀତି ହେଉଥିଲା ଓ ସେହି ଦଳର ସରପଞ୍ଚ ମାନେ କାହା ଚାପରେ କାମ କରିପାରୁନଥିଲେ ସେ ନେଇ ସଭା ଗୃହରେ ପ୍ରଶ୍ନ ଉଠିଥିଲା । କେଉଁ ପରିସ୍ଥିତିରେ ଏଭଳି ଖୁଲମ ଖୁଲା ଦୁର୍ନୀତି ହୋଇଛି ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ଅଛି ସେ ନେଇ ଭିଜିଲାନ୍ସକୁ ତଦନ୍ତ ପାଇଁ ଲିଖିତ ଅଭିଯୋଗ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।