କେନ୍ଦ୍ରାପଡ଼ା, ୯/୮/୨୦୨୪ (ଓଡ଼ିଶା ସମାଚାର)- ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲା ପ୍ରଶାସନିକ ଅଧିକାରୀ ଓ କଲେକ୍ଟୋରେଟ ଷ୍ଟାଫ କମିଟି ପକ୍ଷରୁ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲା ସ୍ତରୀୟ ଅଧିକାରୀ ଓ ଷ୍ଟାଫ କମିଟିର ସଦସ୍ୟମାନେ ଯୋଗଦେଇ ଜିଲାପାଳଙ୍କ ସ୍ୱଳ୍ପ କାର୍ଯ୍ୟକାଳ ସମୟର ମଧୁର ସ୍ମୃତିଚାରଣ କରିବା ସହ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ପାଇଁ ଜିଲାପାଳ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ୨୦୧୮ବ୍ୟାଚର ଓଡିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମୟୁର ବିକାଶ ସମ୍ବଲପୁରର ଉପଜିଲାପାଳ ପରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରିଥିବା ବେଳେ ଜିଲାପାଳ ଭାବେ କେନ୍ଦ୍ରାପଡାରେ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ । ସେ ଏବେ ବାଲେଶ୍ୱର ଜିଲାପାଳ ଭାବେ ଯୋଗଦାନ କରିବେ । ଶ୍ରୀ ମୟୁର ବିକାଶ ଗତ ୨୦୨୩ମସିହା ଜାନୁଆରୀମାସ ୩୦ତାରିଖରେ ଏଠାରେ ଜିଲାପାଳ ଭାବେ ଯୋଗଦେଇଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟୀ କଲେକ୍ଟର, ଜିଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ଷ୍ଟାଫ କମିଟିର କର୍ମକର୍ତା, ସଦସ୍ୟ, ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ ଜିଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କର୍ତବ୍ୟ ପରାୟଣତା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ସମସ୍ତେ ତାଙ୍କ ଚିନ୍ତା ଓ ଚେତନାରେ ରହିବେ ବୋଲି ମତ ପ୍ରକାଶ କରିଥିଲେ ।