ଭୁବନେଶ୍ୱର, ୯/୮/୨୦୨୪ (ଓଡ଼ିଶା ସମାଚାର)- ଆଜି ରାଜ୍ୟ ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂହ ଖୁଂଟିଆ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକରେ ଯୋଗ ଦେବାପାଇଁ କେନ୍ଦୁଝର ଜିଲା ଗସ୍ତ କରିଥିଲେ । ଜଙ୍ଗଲ ବିଭାଗ ତରଫରୁ ‘କାମ୍ପା’ ଯୋଜନାରେ ବୃକ୍ଷରୋପଣ କରାଯାଇଥିବା କେନ୍ଦୁଝର ବ୍ଲକର ନେଲଙ୍ଗ, ପାଟଣା ବ୍ଲକର ପୋଇପାଣି ଏବଂ ତେଲକୋଇ ବ୍ଲକର ଟୁଙ୍ଗୁରୁବାହାଲି ଅଂଚଳ ପରିଦର୍ଶନ କରିଥିଲେ । ପରେପରେ କେନ୍ଦୁଝର ସର୍କିଟ୍ ହାଉସ୍ ରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ଏଥିରେ ପାଟନା ବିଧାୟକ ଅଖିଳ ନାୟକ ଓ ତେଲକୋଇ ବିଧାୟକ ଫକୀର ନାୟକ ଉପସ୍ଥିତ ଥିଲେ । ଜିଲା ର ସହରାଂଚଳ ଓ ଗ୍ରାମାଂଚଳରେ ବସବାସ କରୁଥିବା ସମସ୍ତ ବର୍ଗର ଶ୍ରମିକ ଏବଂ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ଇ-ଶ୍ରମକାର୍ଡ, ଶ୍ରମକାର୍ଡ ଏବଂ ସେମାନଙ୍କର ଜୀବନ ଜୀବିକା ଉପରେ ଜଙ୍ଗଲ ଓ ଶ୍ରମ ବିଭାଗ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାପାଇଁ ମାନ୍ୟବର ଜଙ୍ଗଲ ଓ ଶ୍ରମ ବିଭାଗର ମନ୍ତ୍ରୀ ଶ୍ରୀ ଗଣୋରାମ ସିଂହ ଖୁଂଟିଆ ଦୁଇ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ କେନ୍ଦୁଝର ବନଖଣ୍ଡ ଅଧିକାରୀ, ଜିଲାର ସମସ୍ତ ରେଞ୍ଜର, ବନପାଳ, ଏସିଏଫ୍ , ଡିଏଲସି କେନ୍ଦୁଝର, ଜିଲାର ସମସ୍ତ ଏଏଲଓ ଏବଂ କିଛି ବୟସ୍କ ଲୋକମାନେ ଉପସ୍ଥିତ ଥିଲେ ।