ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଶ୍ରେଣୀଗୃହରେ ଭାଷାଭିତ୍ତିକ ସମସ୍ୟାକୁ ଦୂର କରିବାକୁ ପ୍ରୟାସ

ଭୁବନେଶ୍ୱର, ୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ବହୁଭାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଆସନ୍ତା ୧୦ ତାରିଖ ଯାଏଁ ଚାଲୁ ରହିବ । ଭୁବନେଶ୍ୱରସ୍ଥିତ ଠକର ବାପା ଛାତ୍ରାବାସଠାରେ ପାଠ୍ୟପୁସ୍ତକ, ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଜନଜାତି ଭାଷାର ସଂଯୋଜନଭିତ୍ତିକ ବହୁଭାଷୀ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀର ସହ ନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ଭୂତିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ସେ ଜନଜାତି ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଭାଷା ସମ୍ବନ୍ଧୀୟ ସମସ୍ୟା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରଶିକ୍ଷାର୍ଥୀମାନେ ଏହି ଶିବିରରେ ଅଧିକରୁ ଅଧିକ ଅଂଶଗ୍ରହଣ କରି ବିଦ୍ୟାଳୟସ୍ତରରେ ଏହାକୁ ଅଧିକ ବ୍ୟାପକ କରାନ୍ତୁ ବୋଲି ଆହ୍ୱାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଶିବିରଟି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତତ୍ୱାବଧାନରେ ଆରମ୍ଭ କରାଯାଇଛି । ଏଥିରେ ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବାଶ୍ରମ ଓ ଆଶ୍ରମ ବିଦ୍ୟାଳୟରୁ ମୋଟ୍ ୫୦ ଜଣ ବହୁଭାଷୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ ଗୀତାଂଶୁ ମୋହନ ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଶ୍ରେଣୀଗୃହରେ ଭାଷାକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନୂତନ ଶିକ୍ଷଣ ପଦ୍ଧତି ମାଧ୍ୟମରେ କିପରି ପାଠପଢ଼ାକୁ ସରଳ ଓ ସାବଲୀଳ କରାଯାଇପାରିବ, ସେ ନେଇ ପରାମର୍ଶ ଦେଇଛନ୍ତି ।
ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଭାଷାବିତ୍ ଡ଼ ପରମାନନ୍ଦ ପଟେଲ୍ ଶିବିରର ବିଷୟବସ୍ତୁ, ତାଲିମ୍ର ଉଦ୍ଦେଶ୍ୟ ଓ କାର୍ୟ୍ୟକାରିତା ଉପରେ ଆଲୋକପାତ କରିଛନ୍ତି । ସେହପରି ପରାମର୍ଶଦାତା ଡ଼ ଚିତ୍ରସେନ ପ୍ରଶାୟତ ବହୁଭାଷୀ ଶିକ୍ଷାର ଆବଶ୍ୟକତା ଏବଂ ବିଦ୍ୟାଳୟରେ ଏହାର ପ୍ରୟୋଗକୁ କିପରି ସୂଚାରୁ ରୂପେ କରାଯିବ ତାହା ଉପରେ ସମ୍ୟକ ବିବରଣୀ ରଖିଛନ୍ତି । ଶେଷରେ ଗବେଷଣା ସହାୟିକା ଡ଼ ସଞ୍ଜୁକ୍ତା ମହାରଣା ଉପସ୍ଥିତ ଅତିଥି, ପ୍ରଶିକ୍ଷାର୍ଥୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇବା ସହ ଶିବିରର ଉପକାରିତା, ଶିକ୍ଷାଦାନର ପଦ୍ଧତି ସମ୍ପର୍କରେ ଆଲୋକପାତ କରିଛନ୍ତି ।
ଏହି ଚାରି ଦିବସୀୟ ପ୍ରଶିକ୍ଷଣ ଶିବିରରେ କୋରାପୁଟ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, କେନ୍ଦୁଝର ରାଙ୍କି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସୁଧାକର କୁଅଁର, ଗଜପତି ଜିଲ୍ଲା ଲକ୍ଷ୍ମୀପୁରସ୍ଥିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଫିରୋଜ ଖାଁ ଛିଞ୍ଚାନି ତାଲିମ୍ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *