ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରାବାସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସାମାଜିକ ଗବେଷଣାରେ ନିୟୋଜିତ ହେବା ପାଇଁ ଏକ୍ସଆଇଏମକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • ପ୍ରାୟ ୧୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଛାତ୍ରବାସ ଉଦଘାଟିତ
  • ଉଦଘାଟିତ ଛାତ୍ରାବାସ ଅନୁଷ୍ଠାନର ସ୍ଥାୟୀ ପରମ୍ପରାକୁ ଆଗକୁ ବଢାଇବାରେ ସହାୟକ ହେବ
  • ଭୁବନେଶ୍ୱର ହେଉଛି ଜ୍ଞାନର ଏକ ସ୍ଥାୟୀ ‘କୁମ୍ଭ’
  • ବିଶ୍ୱ କଲ୍ୟାଣକୁ ଆଗେଇ ନେବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ମୋଦୀ ସରକାର
  • ବୌଦ୍ଧ ଧର୍ମ ଓ କଳିଙ୍ଗ ଯୁଦ୍ଧର ଉଦାହରଣ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୦୭/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ବିଶ୍ୱବିଦ୍ୟାଳୟରେ ଏକ ନୂତନ ଛାତ୍ରାବାସ ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବାକୁ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱର ସବୁଠାରୁ ସ୍ୱତନ୍ତ୍ର ସ୍ଥାନ । କଳା, ସଂସ୍କୃତି ଏବଂ ମନ୍ଦିରମାଳିନୀର ସହର । ଏହି ସ୍ଥାନରେ ଆଇଆଇଟି, ଆଇଏଲଏସ, ଏମ୍ସ, ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୧୦ରୁ ଅଧିକ ପ୍ରତିଷ୍ଠିତ ଅନୁଷ୍ଠାନ ଗଢିଉଠିଛି । ଏହି ଅନୁଷ୍ଠାନ ସମୂହ ଆଗାମୀ ଦିନରେ ଭୁବନେଶ୍ୱରକୁ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ କରିବ ।

ଭୁବନେଶ୍ୱରରେ ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷ ଅଛନ୍ତି । ଯଥାର୍ଥରେ ଭୁବନେଶ୍ୱର ହେଉଛି ଜ୍ଞାନର ଏକ ସ୍ଥାୟୀ ‘କୁମ୍ଭ’ । ସେହି ପରିପ୍ରେକ୍ଷୀରେ ଏଠାରେ ପ୍ରତିଷ୍ଠିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ସମାଜିକ ଗବେଷଣାରେ ଜଡ଼ିତ ହୋଇ କଲ୍ୟାଣକାରୀ ଯୋଜନା ଗୁଡିକର ପ୍ରଭାବକୁ ଜାଣିବା ସହ ସାମାଜିକ ଜୀବନରେ ଉଭା ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଦରକାର ।

ନୂତନ ଉତ୍ସାହକୁ ପ୍ରେରଣା ଦେବା ଏବଂ ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ମାଧ୍ୟମରେ ଶିକ୍ଷା, ଉଦ୍ଭାବନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ମାନଦଣ୍ଡ ସୃଷ୍ଟି କରିବା ସହିତ ବିଶ୍ୱ କଲ୍ୟାଣକୁ ଆଗେଇ ନେବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶୁକ୍ରବାର ଏହି ବିଶ୍ୱବିଦ୍ୟାଳୟର ଓଲଡ କ୍ୟାମ୍ପସ ପରିସରରେ ପ୍ରାୟ ୧୩୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୭ ଏକର ପରିମିତ ଜମିରେ ନିର୍ମିତ ଛାତ୍ରବାସର ଉଦଘାଟନ କରିଛନ୍ତି । ଏହି ଛାତ୍ରାବାସରେ ୯୬୪ଟି ରୁମ, ବାସ୍କେଟ ବଲ୍ ଓ ବ୍ୟାଡମିଣ୍ଟନ କୋର୍ଟ, ଇନଡୋର ଏବଂ ଆଉଡୋର ଆକ୍ଟିଭିଟି ହଲ୍, ଜିମ୍, ଫୁଡକୋର୍ଟ ଏବଂ ଆଦି ଆନୁଷଙ୍ଗିକ ବ୍ୟବସ୍ଥା ରହିଛି ।

ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏକ୍ସଆଇଏମବିର ଏକ ଭଲ  ପରମ୍ପରା ରହିଛି । ଆଜି ଉଦଘାଟିତ ହୋଇଥିବା ଛାତ୍ରାବାସ ଅନୁଷ୍ଠାନର ସ୍ଥାୟୀ ପରମ୍ପରାକୁ ଆଗକୁ ବଢାଇବାରେ ସହାୟକ ହେବ । ଏହି ଅବସରରେ କେନ୍ର୍କ ଶିକ୍ଷା ମନ୍ତ୍ରୀ ବୌଦ୍ଧ ଧର୍ମର ଉଦାହରଣ ସହ କଳିଙ୍ଗ ଯୁଦ୍ଧ ଏବଂ ଓଡ଼ିଶାରେ କିପରି ସେ ସମୟରେ ଗଣତନ୍ତ୍ର ଥିଲା, ତାହା ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *