ବାଲିଅନ୍ତା ବ୍ଲକରେ ଅଧିକାରୀଙ୍କ ଅନୁପସ୍ଥିତି ନେଇ ହିତାଧିକାରୀ ହନ୍ତସନ୍ତ

ଭୁବନେଶ୍ୱର, ୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାଲିଅନ୍ତା ବ୍ଲକରେ ଦୀର୍ଘ ଦିନ ହେବ ଅଧିକାରୀଙ୍କ ଅନୁପସ୍ଥିତି ଲାଗି ରହିଛି l ବାଲିଅନ୍ତା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଧିକାଂଶ ଦିନ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବାରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି । ଏନେଇ ଦୂରଦୁରାନ୍ତରୁ ଆସୁଥିବା ଲୋକେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଅଧିକାରୀଙ୍କୁ ତାଙ୍କ ପ୍ରକୋଷ୍ଠରେ ନପାଇ ନିରାଶ ହୋଇ ଫେରୁଥିବା ଲକ୍ଷ କରାଯାଉଛି l ଏନେଇ ହିତାଧିକାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି l ଯାହାଫଳରେ  ବିଭିନ୍ନ କାମ ଯଥା ଭତ୍ତା,ଜାତୀୟ ପରିବାର ମଙ୍ଗଳ ଯୋଜନା, ସୋସାଇଟି ପଞ୍ଜିକରଣ, ବୃତ୍ତି,ଭାଗବତ ଟୁଙ୍ଗି, କଳା ସଂସ୍କୃତି ଭିତ୍ତିକ କାମ କାର୍ଯ୍ୟ,ଭିମଭୋଇ ସାମର୍ଥ୍ୟ ଶିବିର ସବୁ କ୍ଷେତ୍ରରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲୋକମାନଙ୍କର ସମସ୍ୟା ବଢ଼ିବାରେ ଲାଗିଛି ସିନା କମିବାର ନାଁ ଧରୁନି l ସେହିପରି ବ୍ଲକର ୬ ଜଣ ସହକାରୀ ଯନ୍ତ୍ରୀଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ମଧ୍ୟ ମାସରେ ବହୁଦିନ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି l ରାସ୍ତାଘାଟ ନିର୍ମାଣ ବେଳେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁନଥିବା ଅଭିଯୋଗ ହେଉଛି l ଯାହାଫଳରେ ଯାବତୀୟ ନିର୍ମାଣ କାମ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ବେଳେ ବିଲ କରାଇ ବ୍ଲକ କର୍ତ୍ତୃପକ୍ଷ ଏବଂ ଯନ୍ତ୍ରୀ ସମୂହ ହାତ ଚିକ୍କଣ କରୁଥିବା ଜଣାଯାଇଛି l ବିଡ଼ିଓ ନିରବଦ୍ରଷ୍ଟା ସାଜିଛନ୍ତି l ଦିନେ ଆସିଲେ ଆଉ ଦିନେ ଅନୁପସ୍ଥିତ ରହୁଥିବା ଜଣାଯାଇଛି l ସରକାରୀ ନିୟମାନୁସାରେ ଅନ୍ୟୁନ ୩ ବର୍ଷ ପରେ କର୍ମଚାରୀ, ଅଧିକାରୀଙ୍କ ବଦଳି ନିୟମ ଥିବାବେଳେ ବାଲିଅନ୍ତା ବ୍ଲକରେ ମୋଡିମକଚି ଫିଙ୍ଗି ଦିଆଯାଇଛି l  ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ନୂତନ ଅଧିକାରୀ ଏବଂ ଯନ୍ତ୍ରୀ ନିଯୁକ୍ତି କରାଗଲେ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ମତ ପ୍ରଳାଶ ପାଇଛି l ବୃଦ୍ଧଵୃଦ୍ଧା ଏବଂ ଅସହାୟ ବର୍ଗଙ୍କ ସମେତ ସମସ୍ତ ଲୋକେ ଉପକୃତ ହୋଇପାରନ୍ତେ। ବ୍ଲକରେ ପିସି କାରବାର ବଢିଛି l

ବ୍ଲକରେ ଆଉ ଜଣେ ଜୁନିଅର ଆସିଷ୍ଟାଣ୍ଟ ଅଛନ୍ତି ଲୋକଙ୍କୁ କଟୂ ବ୍ୟବହାର କରିଥାନ୍ତି l ଦୀର୍ଘ ସାତ ବର୍ଷ ହେଲା ସେ ବ୍ଲକରେ ଗୋଟିଏ ସ୍ଥାନରେ କିପରି ରହିଛନ୍ତି ଆଉ କାହିଁକି ତାଙ୍କର ବଦଳି କରାଯାଉ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି l

Leave a Reply

Your email address will not be published. Required fields are marked *