ସରିଲା ପିଏମ୍‌-ପୋଷଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର,ଭାଗ ନେଲେ ୮୦୦ ପାଚିକା ତଥା ସହାୟିକା

ଭୁବନେଶ୍ୱର, ୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶେଷ ହୋଇଛି ପାଚିକା ତଥା ସହାୟିକାଙ୍କ ପ୍ରଶିକ୍ଷଣ ଶିବିର । ଜୁଲାଇ ୭ ରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ୮୦୦ ପାଚିକା ତଥା ସହାୟିକା ୮ ଟି ପର୍ଯ୍ୟାୟରେ ତାଲିମ୍‌ ଗ୍ରହଣ କରିଛନ୍ତି । ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାଚିକା ତଥା ସହାୟିକାଙ୍କୁ ନେଇ ଏହି ତାଲିମ ଶିବିରର ଆୟୋଜନ କରାଯାଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କେନ୍ଦୁଝର, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ପାଚିକା ତଥା ସହାୟିକା ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ।

    ଓଡ଼ିଶାର ପ୍ରତି ଜିଲ୍ଲାରେ କାର୍ଯ୍ୟରତ ୧ ଲକ୍ଷ ୯ ହଜାର ପାଚିକା ତଥା ସହାୟିକାଙ୍କ ମଧ୍ୟରୁ ୮୦୦ ଜଣଙ୍କୁ ଚୟନ କରାଯାଇଥିଲା । ଭାରତ ସରକାରଙ୍କ ପିଏମ୍‌-ପୋଷଣ, ୟୁଏନ୍‌ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପିଲାମାନଙ୍କୁ କିଭଳି ସ୍ୱାସ୍ଥ୍ୟକର, ପୁଷ୍ଟିକର ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇଦିଆଯିବା ନେଇ ଆଲୋଚନା କରାଯାଇଥିଲା ।

     ଏହି ଅବସରରେ ଓଡ଼ିଶା ରାଜ୍ୟ ପିଏମ୍‌-ପୋଷଣ ନୋଡ଼ାଲ୍‌ ଅଫିସର ଶ୍ରୀ ରଘୁରାମ ଆୟର୍‌ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା ରକ୍ତହୀନତା ଏବଂ ଅପପୃଷ୍ଟି ରୋଗର ଦୂରୀକରଣ ପାଇଁ ପୁଷ୍ଟିକର ମଧ୍ୟାହ୍ନ ଭୋଜନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ କର୍ମଶାଳା ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ରନ୍ଧନ ପ୍ରଣାଳୀ କିଭଳି ସହାୟକ ହୋଇପାରିବ ସେ ନେଇ ଆଲୋକପାତ କରିଛନ୍ତି । ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ସିଂହ ସୁରକ୍ଷିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ଫୋସ୍‌ ଟ୍ୟାକ୍‌ (Fos Tac) ଟ୍ରେନିଂ ପରେ ଫୁଡ୍‌ ସେଫଫି ସୁପରଭାଇଜର୍‌ ପ୍ରମାଣପତ୍ର ଗ୍ରହଣ କରିବାର ଉପାୟ ବୁଝାଇଥିଲେ । ପିଏମ୍‌-ପୋଷଣ କାର୍ଯ୍ୟାଳୟର ବିତ୍ତ ଅଧିକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ ପାତ୍ର ପାଚିକା ତଥା ସହାୟିକାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *