କିଶନନଗର ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଠପ୍, କ୍ରେତା ବିକ୍ରେତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

କଟକ ସଦର, ୦୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅଞ୍ଚଳର ସର୍ଵ ପୁରାତନ କିଶନନଗର ହାଟ ଏଵେ ଦୁର୍ଦ୍ଦିନରେ ଗତି କରୁଥିବା ଦେଖିବାକୁ ମିଳିଛି।ଗଛ ମୂଳରେ ଵସି ଚାଷୀମାନେ ସେମାନଙ୍କର ଉତ୍ପାଦିତ ପନିପରିବା ବିକ୍ରୟ କରୁଥିବା ଵେଳେ ଅସରାଏ ବର୍ଷା ହେଲେ ହାଟ ଭିତରକୁ ପଶିବା ସମ୍ଭବପର ହୁଏ ନାହିଁ। ଯାହା ଫଳରେ ଵ୍ୟଵସାୟୀ ଓ ଖାଉଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକତା ଦୃଷ୍ଟିରୁ ହାଟ ଭିତରେ ପିଣ୍ଡି ନିର୍ମାଣ କରାଯାଉଥିବା ଵେଳେ ଆଜକୁ ଦୀର୍ଘ ଦିନ ହେଲା ତାହା ଅଧାପନ୍ତରିଆ ଭାବେ ପଡ଼ିରହିଛି। ଏଥିପାଇଁ ମଧ୍ୟ ହାଟ ଭିତରକୁ ଯିବା ସମ୍ଭବପର ହୋଇପାରୁନାହିଁ। ଏଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସେହିପରି ଆଜକୁ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେଵ ହାଟ ପାର୍ଶ୍ଵରେ ନିର୍ମାଣାଧୀନ ପଞ୍ଚାୟତ କଲ୍ୟାଣ ମଣ୍ଡପ ସେହିପରି ଅଧାପନ୍ତରିଆ ଭାବେ ପଡିରହି ଭୁତକୋଠି ପାଲଟିଛି।ଏ ସମ୍ପର୍କରେ କଟକ ସଦର ବ୍ଲକର ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ କିମ୍ଵା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଵାକୁ ଚେଷ୍ଟା କରାଯାଇଥିଲା ବେଳେ ସେମାନେ ଅଭ୍ୟାସଗତ ଭାବେ ଫୋନ୍ ଉଠାଇନଥିଲେ। ଦୀର୍ଘ ଦିନ ହେଲା ବ୍ଲକର ଯାନ୍ତ୍ରିକ ବିଭାଗ ସ୍ଥାଣୁ ଅବସ୍ଥାରେ ଥିବା ଅଭିଯୋଗ ହୋଇଆସୁଥିଲା ଵେଳେ ଆଗକୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’କାର୍ଯ୍ୟ କିପରି ହେବ ଵୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *