ଜଗତସିଂହପୁର ଠାରେ ବ୍ଲକ୍ ସ୍ତରୀୟ ଆଇନ୍ ସଚେତନତା କାର୍ୟ୍ୟକ୍ରମ

ଜଗତସିଂହପୁର, ୨/୮/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ରାଜ୍ୟ ମହିଳା କମିଶନ ଆନୁକୂଲ୍ୟରେ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସହଯୋଗରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ବ୍ଳକ ସ୍ତରୀୟ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏହି ସଚେତନତା କାର୍ୟ୍ୟକ୍ରମ ରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ଅଧ୍ୟକ୍ଷତା କରି ଜଗତସିଂହପୁର ଜିଲ୍ଲା କୁ ନିଜର ଜନ୍ମ ଭୂମି ଓ କର୍ମ ଭୂମି ବୋଲି ଅଭିହିତ କରିଥିଲେ। ସମାଜ ରେ ପୁରୁଷ ଓ ମହିଳା ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ ଓ ଦୁହିଁଙ୍କ ସମନ୍ଵୟ ରେ ହିଁ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ କହିଥିଲେ। ନାରୀ ମାନଙ୍କ ସୁରକ୍ଷା ଓ ଅଧିକାର ର କଥା କୁ ବିସ୍ତୃତ ଭାବେ ଉପସ୍ଥାପିତ କରି ସମ୍ବିଧାନ ର ଧାରା ୧୪ ଓ ବର୍ତ୍ତମାନ ର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଓଡିଶା ର ବର୍ତ୍ତମାନ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କର ଉଦାହରଣ ଦେଇଥିଲେ। ସମ୍ପ୍ରତି ସମାଜ ରେ ପ୍ରଚଳିତ କୁସଂସ୍କାର ଯଥା ଘରୋଇ ହିଂସା, ବାଲ୍ୟ ବିବାହ ଆଦିର ନିରାକରଣ ନିମନ୍ତେ ମହିଳା କମିଶନ ର ସାହାଯ୍ୟ ନେବାକୁ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସଂହିତା ଓ ସାକ୍ଷ୍ୟ ସଂହିତା ରେ କିଞ୍ଚିତ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଇନ୍ ପୂର୍ବ ପରି ବଳବତ୍ତର ରହିଛି ବୋଲି କମିଶନର ଡଃ ବେହେରା ସୂଚନା ଦେଇଥିଲେ।ଯୌତୁକ ନିରୋଧ ଆଇନ ୧୯୬୧,ମହିଳା ଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ ୨୦୦୫ ବିଷୟରେ ସବିଶେଷ ଧାରଣା ଦେବାସହ ସାକ୍ଷରତା ଓ ସଚେତନତା ହିଁ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଥିଲେ।କାର୍ୟ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ମଧ୍ୟ ନାରୀ ର ଶିକ୍ଷା କୁ ଗୁରୁତ୍ଵ ଦେଇ ଏକ ଶିକ୍ଷିତ ନାରୀ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ସହାୟକ ବୋଲି କହିଥିଲେ।ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ କହିଲେ ଯେ, ପୁରୁଷ ଓ ମହିଳା ଏକ ମୁଦ୍ରା ର ଦୁଇପାର୍ଶ୍ଵ। ଉଭୟ ଙ୍କ ମିଳିତ ସହଯୋଗରେ ହିଁ ଉତ୍ତମ ସମାଜ ଗଠନ ହୋଇପାରିବ। ସଭାରେ ଯୋଗଦେଇ ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା, ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜଗତସିଂହପୁର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ର, ବ୍ଲକ୍ ଉପାଧ୍ୟକ୍ଷ ପ୍ରମୁଖ ସମାଜ ରେ ମହିଳା ସଶକ୍ତିକରଣ ର ସଠିକ୍ ରୂପରେଖ କେବଳ ସଚେତନତା ମାଧ୍ୟମରେ ଆସିପାରିବ ବୋଲି ଗୁରୁତ୍ଵ ଆରୋପ କରିଥିଲେ।ଏହି କାର୍ୟ୍ୟକ୍ରମରେ ରିସୋର୍ସ ପର୍ସନ ଭାବେ ଯୋଗଦେଇ ରାଜ୍ୟ ମହିଳା କମିଶନ ର ଡିଏସପି ଶ୍ରୀମତୀ ବୈଜୟନ୍ତୀ ସିଂ ମହିଳା ଙ୍କ ବିରୋଧରେ ଅନ୍ୟାୟ ଓ ପୋଲିସ୍ ର ଭୂମିକା ବିଷୟରେ ଆଲୋଚନା କରିଥିଲେ। ମହିଳା କମିଶନ ର ପ୍ରାକ୍ତନ ସଭ୍ୟା ଶ୍ରୀମତୀ ସ୍ନେହାଞ୍ଜଳୀ ମହାନ୍ତି କର୍ମ କ୍ଷେତ୍ରରେ ଯୌନ ନିର୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩,ଶ୍ରୀମତୀ ସ୍ଵର୍ଣ୍ଣଲତା ସାମଲ ପୋକ୍ସୋ ଆଇନ ୨୦୧୨, ହିନ୍ଦୁ ଉତ୍ତରାଧିକାରୀ ଆଇନ୍ ୧୯୫୬, ଶ୍ରୀ ତପନ କୁମାର ଗୋଚ୍ଛାୟତ ବାଲ୍ୟ ବିବାହ ନିରୋଧ ଆଇନ, ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ପ୍ରଚଳିତ ମାତୃତ୍ୱ କଲ୍ୟାଣ ଆଇନ ୧୯୬୧, ଇତ୍ୟାଦି ଉପରେ ବିଷଦ ଆଲୋଚନା କରିବା ସହ ବର୍ତ୍ତମାନ ସମସ୍ୟା ପାଲଟିଥିବା ସାଇବର କ୍ରାଇମ, ଡାହାଣୀ ସନ୍ଦେହରେ ହତ୍ୟା ଆଦି ଉପରେ ଆଲୋଚନା କରିଥିଲେ। ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ଉପସ୍ଥିତ ସମସ୍ତଙ୍କୁ ଏହି ଆଇନ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ସହ ଜୀବନ ରେ ଉପଯୋଗ କରିବା ପାଇଁ ପ୍ରେରଣା ଦେଇଥିଲେ।କାର୍ୟ୍ୟକ୍ରମ ର ପ୍ରାରମ୍ଭ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ପ୍ରୋଗ୍ରାମ ଓ ପ୍ରୋଟେକ୍ସନ ଅଫିସର ଶ୍ରୀମତୀ ମଞ୍ଜୁଲତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବ୍ଲକ୍ ସ୍ତରୀୟ ସଚେତନତା କାର୍ୟ୍ୟକ୍ରମ ରେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା, ଆଶା କର୍ମୀ, ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା, ମହିଳା, ବୁଦ୍ଧିଜୀବୀ, ନର୍ସିଂ କଲେଜ ଛାତ୍ରୀ,ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ସୁବାଷ୍ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *