ଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା ତୃତୀୟ ଦିନରେ

କେନ୍ଦ୍ରାପଡ଼ା, ୩୧/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ତୃତୀୟ ଦିନରେ ପହଂଚିଛିି । ଆଜି ଜିଲାପାଳଙ୍କ ନିର୍ଦେଶରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କୁ ବୁଝାଇବା ପରେ ଧାରଣାକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ଅଫିସ ପ୍ରକୋଷ୍ଠକୁ ଯାଇ ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏହାପରେ ସେମାନେ ଜିଲାପାଳଙ୍କ ଅଫିସ ପ୍ରକୋଷ୍ଠକୁ ଯାଇ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସହ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲାର ପ୍ରାୟ ୧୬ହଜାରରୁ ଉଦ୍ଧ୍ୱର୍ ସ୍ୱୟଂ ସହାୟିକା ଗୋଷ୍ଠିର ୨ଲକ୍ଷ ମହିଳାମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଆସୁଛନ୍ତି । କିନ୍ତୁ ସେସବୁର ଉପଯୁକ୍ତ ବିନିଯୋଗ ହେଉନାହିଁ । ଗତ ପାଂଚ ବର୍ଷ ମଧ୍ୟରେ ପ୍ରାୟ ଶହେ କୋଟି ଟଙ୍କା ଜିଲାକୁ ଆସିଥିବା ବେଳେ ଓଡିଶା ଜୀବିକା ମିଶନ ଓ ମିଶନଶକ୍ତି ସେହି ଅର୍ଥର କୈାଣସି ବିନିଯୋଗ ତଥ୍ୟ ଦେଉନାହିଁ । ତେଣୁ ସେହି ଅନୁଦାନର ସିଂହ ଭାଗ ଅର୍ଥ ଆତ୍ମସାତ ହୋଇଥିବା ଓସା ଅଭିଯୋଗ କରିଛି । ଏହି ହରିଲୁଟ ବିରୁଦ୍ଧରେ ଓସା ପକ୍ଷରୁ ଗତ ସୋମବାର ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଚାଲିଥିବା ବେଳେ ସେହି ବିଭାଗ ପକ୍ଷରୁ ମଙ୍ଗଳବାର ରାତିରେ ବାରୋସ୍ଥିତ ମିଶନଶକ୍ତି ଭବନରେ ଜାଲ ଭାଉଚର ପ୍ରସ୍ତୁତି ଚାଲିଥିବା ଖବର ପାଇ ଉପଜିଲାପାଳ ଶ୍ରୀ ପ୍ରଧାନ ନିକିରାଇ ଥାନା ପୋଲିସ ସହ ସେଠାରେ ପହଂଚି ସମସ୍ତ କାଗଜପତ୍ର ଜବତ କରିଥିଲେ । ତେଣୁ ଜାଲ ବିଲ ପ୍ରସ୍ତୁତ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଅପରାଧୀକ ମାମଲା ରୁଜୁ କରାଯିବା, ହରିଲୁଟକୁ ଲୁଚାଇବାକୁ ଜାଲ ଭାଉଚର ପ୍ରସ୍ତୁତି ପାଇଁ ଯେଉଁ ଯେଉଁ ଉପରିସ୍ଥ ଅଧିକାରୀ ନିର୍ଦେଶ ଦେଇଥିଲେ ତାଙ୍କୁ ବହିଷ୍କାର ସହିତ ଘଟଣାର ସ୍ୱତନ୍ତ୍ର ଅଡିଟ କରାଯିବାକୁ ଓସା ଦାବି କରିଛି । ଜିଲାପାଳ ଦାବିପତ୍ର ଗ୍ରହଣ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଧାରଣା ସ୍ଥଗିତ ହେବକି ନାହିଁ ସେ ସମ୍ପର୍କରେ ଆସନ୍ତାକାଲି ନିଷ୍ପତି ଗ୍ରହଣ କରାଯିବ ବୋଲି ଓସାର ଆବାହକ ପ୍ରତାପ ମହାନ୍ତି କହିଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ପବିତ୍ର କୁମାର ପାଣି, ନୃସିଂହ ଦାସ, ଜୟଦେବ ସିଂ, ପ୍ରଦୁ୍ୟମ୍ନ ସ୍ୱାଇଁ, ରମାକାନ୍ତ ମାହାଳି, ବିନୟ କୁମାର ମଲିକ, ଆଇନଜୀବୀ ପ୍ରଦୀପ କୁମାର ଦାଶ, ମନୋରଞ୍ଜନ ଜେନା, ସନ୍ତୋଷ କୁମାର ବେହେରା, ବିଶ୍ୱଜିତ ସୁତାର, ଆକାଶ କୁମାର ଦାସ, ଗୟାଧର ଧଳ, ଅମିତ ଚାନ୍ଦ, ଦୁଷ୍ମନ୍ତ ଆଚାର୍ଯ୍ୟ, ନରୋତମ ଦେବନାଥ, ମାଧବ ଅଧିକାରୀ,ସାଜିଦ ଖାନ, ପ୍ରଫୁଲ୍ଲ କୁମାର ଦାସ, ନଗେନ୍ଦ୍ର ଜେନା, ନିରଞ୍ଜନ ପରିଡା ଓ ଅମରବର ବିଶ୍ୱାଳ ପ୍ରମୁଖ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *