# ସଫଳତାର ସହ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଉଦ୍ଯାପିତ
# ନୂତନ ଶୈକ୍ଷିକ ପ୍ରଣାଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା
ଭୁବନେଶ୍ୱର, ୨୯/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସଫଳତାର ସହ ସମାପ୍ତ ହୋଇଛି ‘ଶିକ୍ଷା ସପ୍ତାହ’ କାର୍ଯ୍ୟକ୍ରମ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ନୂଆଦିଲ୍ଲୀର ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୭ ଦିନବ୍ୟାପୀ ବିଭିନ୍ନ ଦିବସ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷାନୀତି-୨୦୨୦ର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ନେଇ ଏହି ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି । ବ୍ୟକ୍ତିତ୍ୱ ବିକାଶର ପ୍ରାଥମିକତା ରୂପେ ଶିକ୍ଷାକୁ ଗୁରୁତ୍ୱ ଦେଇ ‘ଶିକ୍ଷା ସପ୍ତାହ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ସୋମବାର ଏହି ଶିକ୍ଷା ସପ୍ତାହର ଶେଷ ଦିନରେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଗୋଷ୍ଠୀ ସମ୍ପୃକ୍ତି ଦିବସ ପାଳନ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶାନୁସାରେ ରବିବାର ଓ ସୋମବାର, ଦୁଇ ଦିନ ଧରି ଏହି ଶେଷ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ପୁଷ୍ଟିକର ତିଥି ଭୋଜନର ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ କମ୍ୟୁନିଟି ସଦସ୍ୟ ଯଥା ଏନ୍ଜିଓ, ଶିଳ୍ପ ସଂସ୍ଥା, ବାଣିଜ୍ୟ ପ୍ରତିଷ୍ଠାନ, ଟ୍ରେଡ୍ ସଂସ୍ଥାଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ ।
ଶିକ୍ଷା ସପ୍ତାହର ସଫଳତା:
ପ୍ରଥମ ଦିବସ : ଶିକ୍ଷଣ ସାମଗ୍ରୀ ଦିବସ
‘ଶିକ୍ଷା ସପ୍ତାହ’ ପାଳନର ପ୍ରଥମ ଦିବସରେ ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରାଯାଇଥିଲା । ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ ବ୍ୟବହାର କରି ଶିକ୍ଷଣ ବ୍ୟବସ୍ଥାକୁ ସରଳ ଓ ସାବଲୀଳ କରାଯାଇ ପାରିଛି । ଶିକ୍ଷକ-ଶିକ୍ଷୟିତ୍ରୀମାନେ ନୂତନ ଶିକ୍ଷଣ ପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ ।
ଦ୍ୱିତୀୟ ଦିବସ : ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ
ଦ୍ୱିତୀୟ ଦିନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ବା ଏଫ୍. ଏଲ୍. ଏନ୍ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ନେଇ କର୍ମଶାଳା, ଆଲୋଚନା, ଅଧିବେଶନ ଆଦି ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତାଗୁଡ଼ିକୁ ବିକଶିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତୃତୀୟ ଶ୍ରେଣୀ ପାଠ୍ୟକ୍ରମ ସରିବାବେଳକୁ ପିଲାଟି ବହି ପଢ଼ିବାରେ ସକ୍ଷମ ହେଉଥିବେ ଏବଂ ଗାଣିତିକ ପ୍ରଣାଳୀର ବ୍ୟବହାରକୁ ମଧ୍ୟ ସଠିକ୍ ଭାବରେ ବୁଝିପାରୁଥିବେ, ଏହା ହିଁ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଥିଲା ।
ତୃତୀୟ ଦିବସ: କ୍ରୀଡ଼ା ଦିବସ
ତୃତୀୟ ଦିବସକୁ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଥିଲା । ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । କ୍ରୀଡ଼ାକୁ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ବରଂ ମୁଖ୍ୟ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତିରେ ଥିବା ୭୫ ଟି ପାରମ୍ପାରିକ କ୍ରୀଡ଼ାକୁ ନେଇ ଏହି କ୍ରୀଡ଼ା ଦିବସ ପାଳନ କରାଯାଇଥିଲା ।
ଚତୁର୍ଥ ଦିବସ : ସାଂସ୍କୃତିକ ଦିବସ
ଚତୁର୍ଥ ଦିବସରେ ‘ବିଭିନ୍ନତାରେ ଏକତା’କୁ ନେଇ ବିଦ୍ୟାଳୟଗୁଡ଼ିକରେ ସାଂସ୍କୃତିକ ଦିବସ ପାଳନ କରାଯାଇଥିଲା । ଅନନ୍ୟ ଭାଷା, ସଂସ୍କୃତି, ଖାଦ୍ୟପେୟ, କଳା ସ୍ଥାପତ୍ୟ, ଲୋକନୃତ୍ୟ, ଶାସ୍ତ୍ରୀୟ ତଥା ଆଞ୍ଚଳିକ ଲୋକକଳା, ପଥପ୍ରାନ୍ତ ନାଟକ, ଥିଏଟର୍, ପାରମ୍ପରିକ ହସ୍ତଶିଳ୍ପ, କେ„ଇ ନାଚ ଆଦିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଦିବସ ଜରିଆରେ ଛାତ୍ରଛାତ୍ରୀଙ୍କ ସୃଜନାତ୍ମକ ପ୍ରତିଭାକୁ ଅଧିକ ପ୍ରସ୍ପୁଟିତ କରାଯାଇପାରିଛି ।
ପଞ୍ଚମ ଦିବସ : ଦକ୍ଷତା ଓ ଡ଼ିଜିଟାଲ ପ୍ରୋତ୍ସାହନ ଦିବସ
ପଞ୍ଚମ ଦିବସକୁ ଦକ୍ଷତା ଓ ଡ଼ିଜିଟାଲ ପ୍ରୋତ୍ସାହନ ଦିବସ ଭାବରେ ପାଳନ କରାଯାଇଥିଲା । ଦକ୍ଷତା ବିକାଶ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ହେଉଛି ‘ଦକ୍ଷତା ଓ ଡ଼ିଜିଟାଲ ପ୍ରୋତ୍ସାହନ ଦିବସ’ ପାଳନର ମୁଖ୍ୟ ଉଦେଶ୍ୟ । ଜାତୀୟ ଶିକ୍ଷାନୀତି-୨୦୨୦ରେ ଦକ୍ଷତା ବିକାଶ ଶିକ୍ଷାକୁ ମୁଖ୍ୟ ପାଠ୍ୟକ୍ରମରେ ଅର୍ନ୍ତଭୁକ୍ତ କରିବା ପାଇଁ ପ୍ରୟାସ କରାଯାଇଛି । ତେବେ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟାଳୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଓ ଆଗ୍ରହକୁ ଧ୍ୟାନ ଦେଇ ବିଭିନ୍ନ ଦକ୍ଷତା ବିକାଶ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ଷଷ୍ଠ ଦିବସ : ସ୍କୁଲ ପୋଷଣ ଦିବସ
ଷଷ୍ଠ ଦିନରେ ‘ପରିବେଶ ସଚେତନତା ଓ ସୁରକ୍ଷା’କୁ ପ୍ରାଧାନ୍ୟ ଦେଇ ବିଦ୍ୟାଳୟସ୍ତରରେ ଇକୋ କ୍ଲବ୍/ସ୍କୁଲ ପୋଷଣ ଦିବସ ପାଳନ କରାଯାଇଥିଲା । ପରିବେଶର ସୁରକ୍ଷା କରିବା ପ୍ରତ୍ୟେକ ନାଗରିକର ପ୍ରାଥମିକତା । ଭବିଷ୍ୟତ ପିଢ଼ିଙ୍କୁ ଏହାର ମହ‰ ସମ୍ପର୍କରେ ଅବଗତ କରାଇବାକୁ ହେଲେ ବିଦ୍ୟାଳୟସ୍ତରରୁ ହିଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ସାରା ଦେଶ ତଥା ରାଜ୍ୟରେ ‘ମାଆ ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ ହୋଇଛି । ଏହାକୁ ବର୍ତ୍ତମାନ ବିଦ୍ୟାଳୟସ୍ତରରେ ଅଧିକ ବ୍ୟାପକ କରାଯାଇଥିଲା । ସ୍କୁଲ ପରିସର, ଖାଲି ସ୍ଥାନ ଓ ସ୍ଥାନୀୟ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ନିଜ ମାଆଙ୍କ ସହ ମିଶି ଚାରା ରୋପଣ
କରିଥିଲେ । ପ୍ରତ୍ୟେକ ବିଦ୍ୟାଳୟ ଅନ୍ୟୁନ ୩୫ଟି ଚାରା ରୋପଣ କରାଯିବା ସହ ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଚାରାଗୁଡ଼ିକର ଯତ୍ନ ନେବା ପାଇଁ ଦାୟିତ୍ୱ ଦିଆଯାଇଛି ।
ସପ୍ତମ ଦିବସ : ଗୋଷ୍ଠୀ ସମ୍ପୃକ୍ତି ଦିବସ
ଶିକ୍ଷା ସପ୍ତାହର ଶେଷ କାର୍ଯ୍ୟକ୍ରମକୁ ‘ଗୋଷ୍ଠୀ ସମ୍ପୃକ୍ତି ଦିବସ’ ରୂପେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସୁବିଧା ଅନୁସାରେ ରବିବାର ଓ ସୋମବାର ମଧ୍ୟରୁ ଗୋଟିଏ ଦିନ ପାଳନ କରାଯାଇଛି । ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଗୋଷ୍ଠୀ ସହଭାଗିତାରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଉନ୍ନତିକରଣ କରାଯାଇପାରିଛି । ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ସହଭାଗିତାକୁ ପ୍ରାଧାନ୍ୟ ଦିଆଯାଇଛି । ଏହି ସମ୍ପ୍ରଦାୟ ସହଭାଗିତାକୁ ସଫଳ କରିବା ପାଇଁ ତିଥି ଭୋଜନ ଭଳି ଏକ ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ।