କେନ୍ଦ୍ରାପଡ଼ା,୦୩/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ, କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ରହିଥିବା ଅଧ୍ୟାପକ/ଅଧ୍ୟାପିକାଙ୍କୁ ବଦଳି କରାଯିବା, ବର୍ଷବର୍ଷ ଧରି ଚାଲିଥିବା ବ୍ୟାପକ ହରିଲୁଟ, ଅନିୟମିତତା ଓ ଅରାଜକତା ପ୍ରଭୃତିର ତୁରନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ଦାବିରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କେନ୍ଦ୍ରାପଡା ଜିଲା ସଂସ୍କୃତି ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ରବିବାର ତାଙ୍କୁ ଏହି ଦାବିପତ୍ର ପୁରାତନ ଛାତ୍ରଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରଦାନ କରିଥିଲେ । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ତୁରନ୍ତ ସରକାରୀ ମାନ୍ୟତା ପ୍ରଦାନ, ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ରହିଥିବା ଅଧ୍ୟାପକ/ଅଧ୍ୟାପିକାଙ୍କୁ ବଦଳି କରାଯିବା, ବର୍ଷବର୍ଷ ଧରି ଚାଲିଥିବା ବ୍ୟାପକ ହରିଲୁଟ, ଅନିୟମିତତା ଓ ଅରାଜକତା ପ୍ରଭୃତିର ତୁରନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ଉଚିତ ।
ଏସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୂର୍ବରୁ ବାରମ୍ବାର ଅବଗତ କରିଥିଲେବି ଏହା ମଧ୍ୟରେ ପ୍ରାୟ ୮ମାସ ବିତିଯାଇଥିଲେ ବି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ସ୍ୱନାମଧନ୍ୟ ସର୍ବବୃହ ବେସରାକାରୀ ମହାବିଦ୍ୟାଳୟ । ଯାହାର ଗାରିମା ସାରା ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ପରିଚିତ । କିନ୍ତୁ ଦୁର୍ଭାଗ୍ୟର କଥା ଏହି କଲେଜ ଏବେ ବହୁ ସମସ୍ୟା ଦେଇ ଗତି କରୁଛି । କଲେଜକୁ ବିଭିନ୍ନ ସୂତ୍ରରୁ ଆସୁଥିବା ସରକାରୀ ତଥା ଅନ୍ୟାନ୍ୟ ପାଣ୍ଠିକୁ ଆଖିବୁଝା ହରିଲୁଟ କରିଛନ୍ତି କିଛି ଅସାଧୁ କର୍ମଚାରୀ ଯାହାର ଭିଜିଲାନ୍ସ ବିଭାଗ ଦ୍ୱାରା ତୁରନ୍ତ ତଦନ୍ତ କରାଯିବା ଆବଶ୍ୟକ ।
ଏ ସମସ୍ତ ଦୁର୍ନିତିକୁ ଘଂଟ ଘୋଡାଉ ଥିବା ଓ ପ୍ରୋତ୍ସାହନ ଯୋଗାଉ ଥିବା ତଥା ୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର ସନ୍ତୋଷ ସେଠୀଙ୍କୁ ତୁରନ୍ତ ସେଠାରୁ ବଦଳି କରାଯିବାକୁ ପୁରାତନ ଛାତ୍ରମାନେ ଦାବି କରିଛନ୍ତି ।ଏଥିସହିତ ମହାବିଦ୍ୟାଳୟରେ ଖାଲି ପଡିଥିବା ବିଭିନ୍ନ ବିଭାଗର ୩୩ ଅଧ୍ୟାପକ ପଦବୀ ସହ ୫୫ଟି ଶିକ୍ଷା କର୍ମଚାରୀ ପଦବୀକୁ ତୁରନ୍ତ ପୁରଣ କରାଯିବା, ମହାବିଦ୍ୟାଳୟ ଚର୍ତୁପାଶ୍ୱର୍ ଜମିକୁ ମାପ କରାଯାଇ ଚିହ୍ନଟ କରାଯିବା ସହ ସୁଦୃଢ ପାଚେରୀ ନିର୍ମାଣ ଏବଂ କଲେଜ ପରିସରର ସୁରକ୍ଷାକୁ କଡାକଡି କରାଯିବାକୁ ସେମାନେ ଦୃଢ ଦାବି କରିଛନ୍ତି ।
ଏ ସମସ୍ତ ବିଷୟରେ ଲୋକଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷାମନ୍ତୀ ସୁରଜ ସୂର୍ଯ୍ୟବଂଶୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନିି । ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଲଢେଇ କରୁଥିବା ତଥା ରାଜ୍ୟର ଏକ ବିଶାଳ ଶିକ୍ଷାନୁଷ୍ଠାନର ୭ହଜାର ୫ଶହରୁ ଉଦ୍ଧ୍ୱର୍ ପିଲାଙ୍କ ଭବିଷ୍ୟତ ପାଇଁ ସଂଗ୍ରାମ ଜାରି ରଖିଥିବା ଏହି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ମିଳିବା ଏବେ ସ୍ୱପ୍ନରେ ପରିଣତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ବିଗତ ୨୦୨୪ମସିହା ଜୁଲାଇମାସ ୧୫ତାରିଖ ଠାରୁ ଏସମ୍ପର୍କରେ ଉପରୋକ୍ତ ଅଧିକାରୀମାନଙ୍କୁ ବାରମ୍ବାର ସାକ୍ଷାତ ଓ ଲିଖିତ ଅଭିଯୋଗ ପରେବି କୌଣସି ସୁଫଳ ମିଳିନି । ତେଣୁ ସେମାନେ ପୁନର୍ବାର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କଲେଜର ଉପରୋକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାନଗଲେ ସେମାନେ ବାଧ୍ୟ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଚିତରଞ୍ଜନ ଦାସ, ପ୍ରତାପ ମହାନ୍ତି,ହରେକୃଷ୍ଣ ପାତ୍ର, ଜୟଦେବ ଦାଶ, ସୁମନ୍ତ ଦାସ, ରାଜୀବ ସ୍ୱାଇଁ, ସଚିତ୍ର ଦାସ, ରୋଜାଲିନ ମହାନ୍ତି,ସୁଜିତ ରାଉତ, ସୁସାନ୍ତ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।
