କେନ୍ଦ୍ରାପଡ଼ା, ୨୫/୭/୨୦୨୪ (ଓଡ଼ିଶା ସମାଚାର)- ଜନୈକ ୧୨ ବର୍ଷର ନାବାଳକଙ୍କ ସହ ଯୋରଜବରଦସ୍ତ ଯୌନ ସମ୍ପର୍କ ରଖିବା କେଶର ବିଚାର କରି କେନ୍ଦ୍ରାପଡ଼ା ଆଡହକ ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଜିଲାଜଜ ତ୍ରିବିକ୍ରମ କେଶରୀ ନିନ୍ନାରା ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ପିଡିତ ନାବାଳକଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଏହି କ୍ଷତିପୁରଣ ରାଶି ନାବାଳକଙ୍କ ନାମରେ ଏକ ଜାତୀୟକରଣ ବ୍ୟାଙ୍କରେ ୧୫ ବର୍ଷ ପାଇଁ ସ୍ଥାୟୀ ଜମା କରାଯିବ । ଯାହାକି ନାବାଳକର ଭବିଷ୍ୟତ ସୁରକ୍ଷା ନିମନ୍ତେ ଜମା ରହିବ । ସ୍ଥାୟୀ ଜମାର ସୁଧ ନିୟମିତ ଭାବେ ନାବାଳକଙ୍କ ବ୍ୟାଙ୍କ ଜମାଖାତାକୁ ଆସିବ । ଏଥିସହିତ ଅଭିଯୁକ୍ତ ଯେଉଁ ୫୦ ହଜାର ଟଙ୍କା ଜୋରିମାନା ଅର୍ଥ ଦେବେ ସେ ଅର୍ଥ ନାବାଳକଙ୍କ ଡାକ୍ତରଖାନା ଖର୍ଚ୍ଚ ପାଇଁ ତାକୁ ପ୍ରଦାନ କରାଯିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ରାଜନଗର ଥାନା ଅନ୍ତର୍ଗତ ଗୁହାଳକଣି ଗ୍ରାମର ଆସାମୀ ସ୍ୱର୍ଗତ ରାଧୁ ସାହୁଙ୍କ ପୁଅ ସୌଦାଗର ସାହୁ (୫୫) ନାବାଳକଙ୍କ ଘରକୁ ନିୟମିତ ଭାବେ ଯିବାଆସିବା କରୁଥିଲେ । ଗତ ୨୦୨୧ ମସିହା ଜୁଲାଇ ମାସ ୧୬ ତାରିଖ ଅପରାହ୍ନ ସାଢେ ୨ଟା ବେଳେ ଅଭିଯୁକ୍ତ ନାବାଳକଙ୍କ ଘରକୁ ଆସି ପିଡିତ ନାବାଳଙ୍କୁ ଘର ପଛପଟେ ଥିବା ଗୁହାଳକୁ ଲୁଡୁ ଖେଳିବା ପାଇଁ ଡାକିଥିଲା । ନାବାଳକ ଜଣଙ୍କ ଅଭିଯୁକ୍ତ ସହିତ ଲୁଡୁ ଖେଳିବାକୁ ଗୁହାଳକୁ ଯାଇଥିଲା । ଏହି ସମୟରେ ଅଭିଯୁକ୍ତ ନାବାଳକଙ୍କ ସହ ବଳ ପୂର୍ବକ ଅପ୍ରାକୃତିକ ଯୌନସମ୍ପର୍କ ରଖିଥିଲେ । ଏହାପରେ ନାବାଳକ ଜଣକ କାନ୍ଦି କାନ୍ଦି ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ କହିବା ସହିତ ପୂର୍ବରୁ ଅନେକ ଥର ଏହିପରି କରିଥିବା ମଧ୍ୟ ସେ ମା’ଙ୍କୁ କହିଥିଲେ । ଫଳରେ ତାଙ୍କ ମା’ ଏ ନେଇ ଅଭିଯୁକ୍ତକୁ ପଚାରିବାରୁ ସେ ଓଲଟା ତାଙ୍କ ମା’ଙ୍କୁ ଗାଳିଦେବା ସହ ଚୁଟି ଧରି ଘୁରେଇ ତଳେ ପକାଇ ଦେଇଥିଲେ ତାଙ୍କ ଛାତିକୁ ଗୋଇଠା ମାରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ଯା’ ଘଟଣା ସ୍ଥଳକୁ ଆସି ତାଙ୍କୁ ଘରକୁ ନେଇ ଯାଉଥିବା ସମୟରେ ଅଭିଯୁକ୍ତ ଜଣକ ଗୋଡାଇ ଗୋଡାଇ ମହିଳାଙ୍କୁ ଏକ ବାଡିରେ ପିଟି ଚାଲିଥିଲେ । ଏ ନେଇ ମହିଳା ଜଣକ ସେହିଦିନ ରାତିରେ ଥାନାରେ ଅଭିଯୋଗ କରିଥିଲେ । କେବଳ ମହିଳାଙ୍କ ନାବାଳକ ପୁଅ ନୁହେଁ ତାଙ୍କ ନାବାଳିକା ଝିଅକୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ଯୌନ ଶୋଷଣ କରିଥିଲା । ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ତାଙ୍କୁ ବଳାତ୍କାର କରାଯିବ ବୋଲି ନାବାଳିକାଙ୍କୁ ଅଭିଯୁକ୍ତ ଧମକ ମଧ୍ୟ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ମାମଲାରେ ୧୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରଦାନକୁ ଅଦାଲତ ବିଚାର କରି ଅଭିଯୁକ୍ତ ସୈାଦାଗର ସାହୁଙ୍କୁ ୩୪୧ଦଫାରେ ୧୫ଦିନ ସଶ୍ରମ କାରାଦଣ୍ଡାଦେଶ ସହ ୨ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ୪ଦିନ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡିବ । ୩୭୭ଦଫାରେ ୧୦ବର୍ଷ ସଶ୍ରମ ଜେଲଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ । ଏହାବ୍ୟତିତ ପୋକ୍ସୋ ଆଇନର ୪(୨) ଦଫାରେ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ହଜାର ଟଙ୍କା ଜୋରିମାନାରେ କୋର୍ଟ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୨ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅଦାଲତରେ ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ ମାମଲା ପରିଚାଳନା କରୁଥିଲେ ।