ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ: ଜିଲାପାଳ

କେନ୍ଦ୍ରାପଡ଼ା, ୨୫/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଛତାଠାରେ ସରକାରୀ ପଲ୍ଲି ଟେକନିକ୍ ପରିସରରେ ଥିବା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରକୁ ବୁଧବାର ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପରିଦର୍ଶନ କରିଛନ୍ତି । ତାଲିମ୍ ନେଉଥିବା ଯୁବକଯୁବତୀମାନଙ୍କ ସହ ଆଲୋଚନା କରି ଜିଲାପାଳ କହିଛନ୍ତି “ଜୀବନରେ ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଠିକ୍ ରେ ତାଲିମ୍ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ” । ଏହି ପରିଦର୍ଶନ ସମୟରେ ତାଲିମ୍ ନେଉଥିବା ଯୁବକ ଯୁବତୀମାନଙ୍କୁ ପାଠ୍ୟ ପୁସ୍ତକ ଓ ଉପକରଣମାନ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ଦକ୍ଷତା ବିକାଶ କେନ୍ଦ୍ରରୁ ୩ଟି ବ୍ୟାଚ୍ ରେ ମୋଟ୍ ୫୪ଜଣ ଛାତ୍ରଛାତ୍ରୀ ତାଲିମ୍ ପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ଜଣ ଯୁବକ ଯୁବତୀ ନିଯୁକ୍ତି ପାଇସାରିଛନ୍ତି । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ସରକାରୀ ପଲିଟେକନିକ୍ ର ଅଧ୍ୟକ୍ଷ ଗୁଣନିଧି ପ୍ରଧାନ, କେନ୍ଦ୍ରାପଡ଼ା ପୂର୍ତ ଡିଭିଜନ୍-୨ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜିଲା ଦକ୍ଷତା ବିକାଶ କେନ୍ଦ୍ର ନିମନ୍ତେ ଯଥାଶୀଘ୍ର ପାଠାଗାର, ପରାମର୍ଶ କକ୍ଷ ଏବଂ ବାଳିକା ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ଶ୍ରୀ ପତିଙ୍କୁ ନିର୍ଦ୍ଧେଶ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *