କେନ୍ଦ୍ରାପଡା, ୨୦/୭/୨୦୨୪ (ଓଡ଼ିଶା ସମାଚାର)- ଓଡିଶାର କଳା ସଂସ୍କୃତିର ଅନ୍ୟତମ ଜିଲା କେନ୍ଦ୍ରାପଡାରେ କଳା ସଂସ୍କୃତିକୁ ଉଦ୍ଜୀବିତ କରି ରଖିବା, ଯାତ୍ରା କମିଟିମାନଙ୍କୁ ସୁରକ୍ଷା ଦେବା ଓ ଜିଲାର କଳାକାରମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ କେନ୍ଦ୍ରାପଡା ଜିଲା ଯାତ୍ରା କମିଟି ସଂଘ କାର୍ଯ୍ୟକାରୀ କମିଟି ବୈଠକରେ ଦୃଢ ନିଷ୍ପତି ଗ୍ରହଣ କରାଯାଇଛି । କେନ୍ଦ୍ରାପଡା ଜିଲା ଯାତ୍ରା କମିଟି ସଂଘର ସଭାପତି ମିହିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ସହର ଉପକଣ୍ଠସ୍ଥିତ ଶ୍ୟାମସୁନ୍ଦରପୁରଗଡାର ଚଣ୍ଡିଆ ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା କମିଟି ସଂଘର ସମ୍ପାଦକ ଅବସରପ୍ରାପ୍ତ ପ୍ରଫେସର ବୈକୁଣ୍ଠ ନାଥ ପରିଡା, ଉପଦ୍ଧେଷ୍ଟା ଅଧ୍ୟକ୍ଷ ଜ୍ଞାନ ବଲ୍ଲଭ ମହାନ୍ତି, ସମାଜସେବୀ ତଥା ଉପଦ୍ଧେଷ୍ଟା ଉପାଧ୍ୟକ୍ଷ ଶ୍ରୀନିବାସ ଓଝା, ଉପସଭାପତି ମହେଶ୍ୱର ସେଠୀ ଓ ସଂଗ୍ରାମ କେଶରୀ ମହାପାତ୍ର, ସହ ସମ୍ପାଦକ ନିହାରକାନ୍ତ ରାଉତ, କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯାତ୍ରା ପାର୍ଟି ମାଲିକମାନେ ଯାତ୍ରା ପରିବେଷଣ କରିବା ପାଇଁ ପ୍ରତ୍ୟେକ ରାତ୍ରୀ ପାଇଁ ଅହେତୁକ ଦର ବୃଦ୍ଧି ସହ ପ୍ରଚାର ଗାଡି ଖର୍ଚ୍ଚ, ଡିଜେ ପାଇଁ ଡିଜେଲ ଖର୍ଚ୍ଚ, ଉନ୍ନତ କିଷମର ଘର ବ୍ୟବସ୍ଥା, ରୋଷେଇ ଜାଳ ଯୋଗାଣ, ବକେୟା ରାଶି ପ୍ରଦାନ ପାଇଁ ବ୍ଲାଙ୍କ ଚେକ୍ ଦାବି ବ୍ୟତୀତ ଯାତ୍ରା କମିଟିମାନେ ଏସମସ୍ତ ଖର୍ଚ୍ଚ ବହନ କରିବା ସହ ବିଦୁ୍ୟତ୍ ଯୋଗାଣ, ରାଜସ୍ୱ ଦେୟ, ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଅନୁମତି, ଶ୍ରମ ବିଭାଗ ଅନୁମତି, ଆଇନଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ପୋଲିସ ଅନୁମତି, ଜିଲାକୁ ରେଡକ୍ରସ ଦେୟ ଆଦି ପ୍ରଦାନ କରି ଜିଲା ପ୍ରଶାସନ ପାଖରୁ ଆଇନଗତ ଅନୁମତି ପାଇଁ ଖର୍ଚ୍ଚ କମିଟିମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଉଛି । କମିଟି ଗୁଡିକ ବାଧ୍ୟ ହୋଇ ଟିକେଟ୍ ଦର ବୃଦ୍ଧି କରୁଛନ୍ତି, ଯଦ୍ୱାରାକି ଗାଁଗହଳିର ଜନସାଧାରଣ ଅଧିକ ଦର ଦେଇ ଯାତ୍ରା ଦେଖିବା କଷ୍ଟକର ହେବା ଓ ଦର୍ଶକମାନଙ୍କ ସଂଖ୍ୟା କମିବାରୁ ଯାତ୍ରା କମିଟିମାନେ କ୍ଷତି ସହିଲେ ବି ଯାତ୍ରା ପାର୍ଟି ମାଲିକମାନଙ୍କ ଚୁକ୍ତି ଅନୁସାରେ ଅର୍ଥ ଦେବାକୁ ବାଧ୍ୟ ହେଉଛନ୍ତି । ଏହା ପରେ ବି ଯାତ୍ରା ପରିବେଷଣ ଭଲ ହେଉ ବା ନ ହେଉ ଦର୍ଶକ ହୁଅନ୍ତୁ ବା ନ ହୁଅନ୍ତୁ, କମିଟିର ଧାର୍ଯ୍ୟ ଆୟ ହେଉ ବା ନ ହେଉ ଯାତ୍ରା ପାର୍ଟି ମାଲିକମାନଙ୍କ କୌଣସି ସମାଧାନର ବାଟ ନ କରି ଓଲଟା ଜୁଲମ କରିବା ଯୋଗୁଁ ପାରମ୍ପରିକ କମିଟି ଗୁଡିକ ଦିନକୁଦିନ ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦ୍ରାପଡା ଜିଲାର ଜିଲା କାର୍ଯ୍ୟକାରିଣୀ କାଯ୍ୟକର୍ତା, ୯ଟି ବ୍ଲକ କମିଟି ସଭାପତି, ସମ୍ପାଦକ ଓ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଯୋଗ ଦେଇ ୧୧ଗୋଟି ପ୍ରସ୍ତାବକୁ ସମର୍ଥନ ଦେବା ସହ ଯାତ୍ରା ପାର୍ଟି ମାଲିକମାନେ ଜିଲା ଯାତ୍ରା କମିଟି ସହିତ ସମନ୍ୱୟ ରକ୍ଷା କରିବା ଦୃଷ୍ଟିରୁ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଦାବି ଗୁଡିକ ପ୍ରତି ଯଦି ଯାତ୍ରା ପାର୍ଟି ମାଲିକମାନେ ଗୁରୁତ୍ୱ ନ ଦିଅନ୍ତି ତେବେ ଆସନ୍ତା ୨୦୨୫ ମସିହା ଜୁଲାଇ ମାସଠାରୁ ଜିଲାରେ କୌଣସି ଯାତ୍ରା ପାର୍ଟି ଯାତ୍ରା କରିବାକୁ ଦିଆଯିବ ନାହିଁ ବୋଲି ଦୃଢ ନିଷ୍ପତିି ନିଆ ଯାଇଛି । କେନ୍ଦ୍ରାପଡା ଜିଲାରେ ମୋଟ୍ ୧୯୪ଟି ଯାତ୍ରା କମିଟି ଜିଲା ଯାତ୍ରା କମିଟି ସଂଘରେ ସାମିଲ ହୋଇ ବ୍ଲକ ସ୍ତରରେ ମଧ୍ୟ ଏଭଳି ଦୃଢ ନିଷ୍ପତି ନେଇଥିବାର ସଭାପତି ମିହିର ସାମଲ ଘୋଷଣା କରିଛନ୍ତି । ଅନ୍ୟ ପକ୍ଷରେ ପାରମ୍ପରିକ ଅନୁଷ୍ଠାନଗୁଡିକୁ ବଂଚାଇବା ପାଇଁ ଜିଲା ସଂସ୍କୃତି ବିଭାଗ ସହାୟତାରେ ଜିଲାରେ ବଚ୍ଛାବଚ୍ଛା କମିଟିର କଳାକାରମାନଙ୍କ ଦ୍ୱାରା ଜିଲା ସଂସ୍କୃତି ଭବନରେ ନାଟକ ପ୍ରତିଯୋଗୀତା କରାଯାଇ ବିଭିନ୍ନ ଅନୁଷ୍ଠାନରେ ମଂଚ ନାଟକ ପ୍ରତିଯୋଗୀତା କରିବାକୁ ବିଭିନ୍ନ ଯାତ୍ରା କମିଟି କର୍ମକର୍ତାମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସହ ସଂଯୋଜକ ଦିପକ କୁମାର ମହାନ୍ତି, ରାଜନଗର ବ୍ଲକ ସଭାପତି ବିଭୁତି ଭୂଷଣ ନାୟକ, ସମ୍ପାଦକ ଶରତ କୁମାର ଦାଶ, ମହାକାଳପଡା ବ୍ଲକ ସଭାପତି ବିରେନ୍ଦ୍ର କୁମାର ଦାସ, ଡାରାବିଶି ବ୍ଲକ ସଭାପତି ବିଜୟ କୁମାର ସାମଲ, ସମ୍ପାଦକ ଲକ୍ଷ୍ମୀକାନ୍ତ ମହାନ୍ତି, ମାର୍ଶାଘାଇ ବ୍ଲକ ସଭାପଚି ରବିନ୍ଦ୍ର ଦାସ, କେନ୍ଦ୍ରାପଡା ବ୍ଲକ ସଭାପତି ନାରାୟଣ ସାହୁ, ପଟ୍ଟାମୁଣ୍ଡାଇ ପତିତପାବନ ଭଦ୍ର ଓ ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ, ଆଳି ବ୍ଲକ ସମ୍ପାଦକ ବିରେନ୍ଦ୍ର ପଣ୍ଡା, ରାଜକନିକା ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ଦଳାଇ, ଗରଦପୁର ବ୍ଲକ ସମ୍ପାଦକ ଗିରିଶ ଚନ୍ଦ୍ର କର ପ୍ରମୁଖ ବିଭିନ୍ନ ବ୍ଲକ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ ।