ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଡିସେମ୍ବର ୯ ରେ

ଜଗତସିଂହପୁର, ୦୨/୧୨/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସ୍ତରୀୟ ଓ ତାଲୁକ ସ୍ତରୀୟ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଡିସେମ୍ବର ୯ ତାରିଖରେ ସମସ୍ତ କୋର୍ଟ ଓ ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ ବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ) ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମନ୍ଧୀୟ (ଦରମା , ଭତ୍ତା ଓ ଅବସର କାଳୀନ ପ୍ରାପ୍ୟ), ମୋଟର ଯାନ ସମ୍ବଧୀୟ ଓ ଅନ୍ୟାନ୍ୟ ଦିୱାନୀ ମୋକଦମା ଇତ୍ୟାଦିର ଆପୋସ ସହମତିରେ ସମାଧାନ କରାଯାଇପାରିବ, କେବଳ ବିଚାରଧିନ ମୋକଦମା ନୁହେଁ ପ୍ରାକ ମୋକଦମା ସ୍ତରୀୟ (କଚେରୀରେ ଦାୟର ହୋଇ ନଥିବା), ଚେକ ବାଉନ୍ସ ମାମଲା, ବି.ଏସ୍.ଏନ୍.ଏଳ୍, ବ୍ୟାଙ୍କ ଋଣ ବିବାଦ , ଶ୍ରମ ଓ ନିଯୁକ୍ତି ବିବାଦ, ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦିୱାନୀ ମୋକଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମୋକଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୁଡାନ୍ତ ଏବଂ ଅମଳ ଯୋଗ୍ୟ , ଯଦି କୌଣସି ବିଚାରଧିନ ମୋକଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମୋକଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ କାର୍ୟ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ୟ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *