ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ

                                                                    କମିଟି ଗଠନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଭୟ ମହାନଗର ନିଗମ ଏବଂ ଜିଲ୍ଲାଗୁଡ଼ିକ ଅଧିନରେ ଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦୁ୍ୟତ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କ ଫୋର୍ସ ଗଠନ କରାଯିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ମହାନଗର ନିଗମ ଅଧିନରେ ଥିବା ସ୍ୱାସ୍ଥ୍ୟାନୁଷ୍ଠାନ ପାଇଁ ମହାନଗର ନିଗମର କମିଶନର, ପୋଲିସ ଏସ୍‌ପି/ଡିଏସ୍‌ପି, କ୍ୟାପିଟାଲ୍‌ ହସ୍‌ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ/ ଆର୍‌ଜିଏଚ୍‌, ରାଉରକେଲା/ ସିଡିଏମ୍‌ ଏବଂ ପିଏଚ୍‌ଓ, ଫାୟାର ଅଫିସର, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଏବଂ ବିଦୁ୍ୟତ ନିରୀକ୍ଷକଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରାଯିବ ।

ଜିଲ୍ଲାଗୁଡ଼ିକ ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ, ସହକାରୀ ଅଗ୍ନି ନିର୍ବାପକ ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ ତଥା ଉପବିଦୁ୍ୟତ ନିରୀକ୍ଷକଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରାଯିବ । ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ଏଥି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲ୍‌, ଜିଲ୍ଲା ସଦର ମହକୁମା ହସ୍‌ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଭବିଷ୍ୟତରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଉଛି । ଗତକାଲି କଟକର ତେଲେଙ୍ଗାବଜାର ସ୍ଥିତ ଦୁଇଟି ନର୍ସିଂ ହୋମରେ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କଡ଼ାକଡି ଭାବେ ଅନୁପାଳନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନାଗୁଡ଼ିକରେ ନିୟମିତ ଭାବରେ ଅଗ୍ନି ନିର୍ବାପକ ଯନ୍ତ୍ର, ହାଇଡ୍ରାଣ୍ଟ ଏବଂ ଆଲାର୍ମର ଯାଞ୍ଚ କରିବା, ନିଆଁ ଲିଭାଇବା ଯନ୍ତ୍ରର ସମାପ୍ତି ତାରିଖ, ହାଇଡ୍ରାଣ୍ଟର ୱାଟର ପ୍ରେସର ସହ ଅଗ୍ନି ଆଲାର୍ମ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବା ଆବଶ୍ୟକ । ସମସ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ରକ୍ଷଣାବେକ୍ଷଣ ଓ ମାସିକ ଯାଞ୍ଚ ଏବଂ ହାଇଡ୍ରାଣ୍ଟର ତ୍ରୈମାସିକ ଯାଞ୍ଚ ଏବଂ ଭାରତୀୟ ମାନକ ଅନୁସାରେ ଏଗୁଡ଼ିକର ବୃତ୍ତିଗତ ନିରୀକ୍ଷଣ କରାଯିବା ଆବଶ୍ୟକ । ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷ, ହଲ୍‌ ତଥା ସାଧାରଣ ଏରିଆରେ ଧୁଆଁ ଡିଟେକଫର ଏବଂ ଫାୟାର ଆଲାର୍ମ ସ୍ଥାପନ କରାଯିବ । ସମୟ ଅନୁଯାୟୀ ଏହାର ଯାଞ୍ଚ ଏବଂ ବଦଳାଯିବା ଆବଶ୍ୟକ । ହସ୍‌ପିଟାଲ୍‌ ଆଇସିୟୁ, ଅପରେସନ୍‌ ଥିଏଟର ଆଦି ମୁଖ୍ୟ ଅଞ୍ଚଳର ସ୍ୱୟଂଶାସିତ ସିଞ୍ଚନ ଯନ୍ତ୍ର ସ୍ଥାପନ କରାଯିବ ଯାହାକି ଆଲାର୍ମ ସହିତ ସଂଯୁକ୍ତ ହୋଇ ଅଗ୍ନିକାଣ୍ଡବେଳେ କାର୍ଯ୍ୟକ୍ଷମ ହୋଇପାରିବ । ନ୍ୟାସନାଲ ଇଲେକ୍‌ଟି୍ରକାଲ କୋଡ଼୍‌ ଅଫ୍‌ ଇଣ୍ଡିଆ ୨୦୨୩ ଅନୁଯାୟୀ ହସ୍‌ପିଟାଲ୍‌ର ଉଚ୍ଚ ଚାହିଦା ଅଞ୍ଚଳର ସିଷ୍ଟମକୁ ଅଧିକ ଲୋଡ଼୍‌ ନକରି ନିରାପତ୍ତା ମାନଦଣ୍ଡ ପୂରଣ କରି ସୁନିଶ୍ଚିତ କରିବାକୁ ଏକ ସାର୍ଟିଫାଏଡ୍‌ ଇଲେକ୍‌ଟି୍ରସିଆନ୍‌ ଦ୍ୱାରା ବିଦ୍ୟୁତ ପରିବହନର ମୂଲ୍ୟାଙ୍କନ କରାଯିବା ଉଚିତ । ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଅଗ୍ନି ନିରାପତ୍ତା ଅଧିକାରୀ, ଜିଇଡିର ଇଂଜିନିୟର୍ସ ଏବଂ ପିଡବ୍ଲୁ୍ୟଡିଙ୍କୁ ନେଇ ଏକ ବିଶେଷଜ୍ଞ ଦଳ ଯାଞ୍ଚ କରିବେ ଏବଂ ସମସ୍ତ ଯନ୍ତ୍ରପାତି ଓ ସଂଯୋଗୀକରଣ ଉପରେ ସର୍ଭେ କରି ଜଣାଇବେ ।

ଇଲେକ୍‌ଟି୍ରକାଲ ବିଭାଗର ରିପୋର୍ଟକୁ ଆଧାର କରି ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ସଂଶୋଧନ ପଦକ୍ଷେପ ଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ଅଗ୍ନି ନିରାପତ୍ତା ଅଧିକାରୀଙ୍କ ପ୍ରମାଣପତ୍ର ଜରୁରୀ । ଶକ୍ତି ଉତ୍ସକୁ ଓଭର ଲୋଡ଼ିଂରୁ ଦୂରେଇ ରଖିବା ଏବଂ ଏକାଧିକ ଉଚ୍ଚଶକ୍ତିସଂପନ୍ନ ଉପକରଣଗୁଡ଼ିକୁ ଗୋଟିଏ ସର୍କିଟ ସହିତ ସଂଯୁକ୍ତ ନକରିବା ଉପରେ ଦୃଷ୍ଟିଦେବାକୁ ଏବଂ ବିଦୁ୍ୟତ ବଣ୍ଟନକୁ ନିୟମିତ ସମୀକ୍ଷା କରାଯିବା ଆଦି ପଦକ୍ଷେପ ନିଆଯିବ । ଅମ୍ଳଯାନ ଥିବା ଅଞ୍ଚଳ ଧୂମପାନ ନୀତି ଓ ଉତ୍ତାପ ଉତ୍ସ ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯିବା, ଉଚ୍ଚ ଅମ୍ଳଯାନ ପରିବେଶ ସହ ଜଡ଼ିତ ବିପଦ ଉପରେ କର୍ମଚାରୀମାନଙ୍କୁ ତାଲିମ ଦେବା, ରୋଗୀ ରହୁଥିବା ଅଞ୍ଚଳରେ ଜାଳେଣି ସାମଗ୍ରୀକୁ ନିୟନ୍ତ୍ରଣ କରାଯିବା, ନ୍ୟାସନାଲ ବିଲ୍‌ଡିଂ କୋଡ୍‌ ୨୦୧୬ ଅନୁଯାୟୀ ଅତ୍ୟାଧୁନିକ ଅଗ୍ନି ନିରାପତ୍ତା ମାନଦଣ୍ଡକୁ ପାଳନ କରିବା ପାଇଁ ହସ୍‌ପିଟା୍‌ର ଭିତ୍ତିଭୂମି ନିୟମିତ ସମୀକ୍ଷା କରାଯିବା, ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତିବର୍ଷ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନବୀକରଣ, କାର୍ଯ୍ୟଯୋଜନାର ପ୍ରସ୍ତୁତି, ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବିସ୍ତୃତ ଯୋଜନା, ଅଗ୍ନି ନିରାପତ୍ତା ଅଧିକାରୀଙ୍କ ପରାମର୍ଶ କ୍ରମେ ଅଗ୍ନି ସୁରକ୍ଷା ଉପକରଣ କ୍ରୟ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀଙ୍କୁ ଯନ୍ତ୍ରପାତି ପରିଚାଳନା ଉପରେ ତାଲିମ ପ୍ରଦାନ କରାଯିବା, ସମସ୍ତ ଅଗ୍ନି ନିରାପତ୍ତା କର୍ମଚାରୀଙ୍କ ପାଇଁ ନିରନ୍ତର ତାଲିମ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା, ପ୍ରତ୍ୟେକ ଘରୋଇ ଡାକ୍ତରଖାନାରେ ଅଗ୍ନି ନର୍ବାପକ ବ୍ୟବସ୍ଥା ନେଇ ଏକ ଏସ୍‌ଓପି ପ୍ରସ୍ତତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନୂଆ ବିଲଡିଂଗୁଡ଼ିକର ଅଗ୍ନି ନିରପତ୍ତା ସୁରକ୍ଷା ପ୍ରମାଣପତ୍ର ସୁନିଶ୍ଚିତ କରିବା ପରି ଜରୁରୀ ପଦକ୍ଷେପ କମିଟି ଗ୍ରହଣ କରିବ ।

ତ୍ରିଷା ଏବଂ କଟକ ତେଲେଙ୍ଗାବଜାରର ରାଧାରମଣ ହସ୍‌ପିଟାଲ୍‌ ଆଦି ଦୁଇଟି ନର୍ସିଂ ହୋମ୍‌ରେ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ଓଡ଼ିଶା ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ତିନିଜଣ ଡାକ୍ତର ଯଥା- ପ୍ରଫେସର ଡାକ୍ତର ବ୍ରଜ କିଶୋର ଦାଶ (ଆଡିସନାଲ ଡିଏମ୍‌ଇଟି), ପ୍ରଫେସର ଡାକ୍ତର ଅନୀଲ କୁମାର ସାହୁ(ଡିପାର୍ଟମେଣ୍ଟ ଅଫ୍‌ ଅର୍ଥୋପେଡିକ୍ସ, ପୁରୀ), ପ୍ରଫେସର ଡାକ୍ତର ରୋମା ରତନ(ଜଏଣ୍ଟ ଡିଏମ୍‌ଇଟି)ଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଓଡ଼ିଶା କ୍ଲିନିକାଲ ଏନ୍‌ଷ୍ଟାବ୍ଲିସ୍‌ମେଣ୍ଟ ଅଧିନିୟମ ୧୯୯୦ ଅନୁଯାୟୀ ଏ ସମ୍ପର୍କରେ ଅନୁଧ୍ୟାନ କରି ଏହି କମିଟି ରିପୋର୍ଟ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *