କୃଷି ଭବନରେ ଏଲ୍‌ଇଡି ଭିଡିଓ ୱାଲ୍‌ର ଶୁଭ ଉଦ୍‌ଘାଟନ

   #      ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

  #     ୫୮ ଗୋଟି ସବଡିଭିଜନରେ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ

ଭୁବନେଶ୍ୱର, ୧୩/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟଧାରାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଜି କୃଷି ବିଭାଗ ତରଫରୁ ରାଜ୍ୟର ୫୮ ଗୋଟି ସବ୍‌ଡିଭିଜନରେ ଏଲ୍‌ଇଡି ଭିଡିଓ ୱାଲ କାର୍ଯ୍ୟକ୍ଷମ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶନିବାର ପୂର୍ବାହ୍ନରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏହି ଭିଡିଓ ୱାଲର ଶୁଭ ଉଦ୍‌ଘାଟନ କରି କହିଲେ ଯେ କୃଷି ଓ ଚାଷୀ ଭାଇମାନଙ୍କ ମଧ୍ୟରେ ସୂଚନା ପ୍ରସାର ପାଇଁ କୃଷି ବିଭାଗର ଏହି ପଦକ୍ଷେପ ସମଗ୍ର ଭାରତ ବର୍ଷରେ ପ୍ରଥମ । ଏଭଳି ଅଭିନବ ପ୍ରୟାସ ପାଇଁ ସେ ବିଭାଗର ପ୍ରମୁଖ ଶାସନ ସଚିବ, ସମସ୍ତ ନିର୍ଦ୍ଦେଶକ ଓ ପଦାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଭାଗର ସମସ୍ତ କଲ୍ୟାଣକାରୀ ଯୋଜନା, ଚାଷ ସମ୍ବନ୍ଧୀୟ ସମସ୍ତ ଅଦ୍ୟତନ ସୂଚନା ଓ ଉପଲବ୍ଧ ସୁବିଧାଗୁଡିକ ଏହି ଭିଡିଓ ୱାଲ ମାଧ୍ୟମରେ ଚାଷୀ ଭାଇମାନେ ଜାଣି ପାରିବେ । ଏହାର ଲାଭ ଉଠାଇବା ପାଇଁ ରାଜ୍ୟର ସମସ୍ତ ଚାଷୀ ଭାଇଭଉଣୀମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂହ ଦେଓ ଅନୁରୋଧ କରିଥିଲେ । ଏହି ଭିଡିଓ ୱାଲ କାର୍ଯ୍ୟକାରୀ ହେବା ଦ୍ୱାରା ବିଭାଗର ଦାୟିତ୍ୱ ଆହୁରି ବଢିଗଲା ବୋଲି କହିବା ସହିତ ରାଜ୍ୟ, ଜିଲ୍ଲା ଓ ସମସ୍ତ ଡିଭିଜନ ସ୍ତରର ଅଧିକାରୀମାନେ ଏ ଦିଗରେ ଯନିବାନ ହୋଇ କୃଷିକ୍ଷେତ୍ରରେ ବୃହତ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ ।

            ଉଦ୍‌ଘାଟନ ଅବସରରେ ବିଭିନ୍ନ ସବଡିଭିଜନରୁ ଆଭାସି ମାଧ୍ୟମରେ ଯୋଡି ହୋଇଥିବା ଚାଷୀ ଭାଇଭଉଣୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କଥା ହେବା ସହ ସରକାରଙ୍କ ଯୋଜନାଗୁଡିକରୁ ସେମାନେ ଉପକୃତ ହେଉଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ । ଏହି କ୍ରମରେ ଆଭାସି ମାଧ୍ୟମରେ ଯୋଡି ହେଇଥିବା କଟକ, ନୟାଗଡ, ଭୁବନେଶ୍ୱର ଏବଂ ପାଟଣାଗଡର ଚାଷୀ ଭାଇଭଉଣୀମାନଙ୍କ ସହିତ ଆଲୋଚନା କରିଥିଲେ ।

            ପ୍ରାରମ୍ଭରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ମନ୍ତ୍ରୀଙ୍କୁ ଏହି ଉଦ୍‌ଘାଟନୀ ସମାରୋହକୁ ସ୍ୱାଗତ କରିବା ସହ ଏଲଇଡି ଭିଡିଓ ୱାଲ ସ୍ଥାପନର ଉଦ୍ଦେଶ୍ୟ ଓ ଏଥିରୁ ଉପଲବ୍ଧ ସୁବିଧା ସମ୍ବନ୍ଧରେ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ । କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସଚିବ ଡ. ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ପଦାଧିକାରୀ, ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *