କେନ୍ଦ୍ରାପଡା କଲେଜରୁ ଏସି ଚୋରି ଘଟଣା

                                                              ମହାବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କଲା ପୋଲିସ
କେନ୍ଦ୍ରାପଡ଼ା, ୧୧/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାରେ ଟାଉନ ଥାନା ପୋଲିସର ଏକ ଟିମ୍ ଆଜି ମହାବିଦ୍ୟାଳୟ ପରିସରରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । କେଉଁଠାରେ ଏସି ଲାଗିଥିଲା ଏବଂ କେଉଁଠି ଷ୍ଟାବିଲାଇଜର ଲାଗିଥିଲା ପୋଲିସ ସେସବୁ ବିଷୟରେ ତଦନ୍ତ କରିଛି । ଏସି ଓ ଷ୍ଟାବିଲାଇଜରର କାଗଜପତ୍ର ଇତ୍ୟାଦି ପୋଲିସ ଯାଂଚ କରିଛି । କଲେଜ ହିସାବ ବିଭାଗକୁ ଯାଇ ଏସି ଓ ଷ୍ଟାବିଲାଇଜର କ୍ରୟର ଭାଉଚର, ଷ୍ଟକ ରେଜିଷ୍ଟର ପ୍ରଭୃତି ଯାଂଚ କରିବା ପରେ ତଦନ୍ତକାରୀ ଅଧିକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ । ବରିଷ୍ଠ ଅଧ୍ୟାପକ ଶ୍ରୀ ଦାସ ଚୋରି ରାକେଟ୍ ର ମାଷ୍ଟରମାଇଣ୍ଡ ଅଧ୍ୟାପକଙ୍କ ବିରୁଦ୍ଧରେ ସମସ୍ତ ତଥ୍ୟ ପୋଲିସକୁ ଦେଇଛନ୍ତି । ଚୋରି ରାକେଟର ମାଷ୍ଟର ମାଇଣ୍ଡ ଅଧ୍ୟାପକ ଯେଉଁ ଚାମ୍ବରରେ ବସୁଥିଲେ ସେହି ଚାମ୍ବରରେ ଥିବା ତାଙ୍କ ଆଲମୀରାକୁ ଖୋଲାଯାଇଥିଲା । ସେହି ଆଲମୀରା ଭିତରୁ ଏକ ନୂଆ ଷ୍ଟାବିଲାଇଜର ଓ ୪ଟି ଏସିର ରିମୋଟ୍ ସମେତ ୫ଟି ଷ୍ଟାବିଲାଇଜରର ଗ୍ୟାରେଂଟି କାର୍ଡ ମିଳିଥିଲା । ପୋଲିସ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଚୋରି ଯାଇଥିବା ଏସିର ଷ୍ଟାବିଲାଇଜରଟି ଅଭିଯୁକ୍ତ ଅଧ୍ୟାପକଙ୍କ ଆଲମୀରାରୁ ମିଳିଥିବା ଷ୍ଟାବିଲାଇଜର । ଏହି ଚୋରିରେ ପଦାର୍ଥ ବିଜ୍ଞାନ ବିଭାଗର ସଂପୃକ୍ତ ଅଧ୍ୟାପକ ସାମିଲ ଥିବା ପୋଲିସ ଏଥିରୁ ସ୍ପଷ୍ଟ ହୋଇଥିଲା । ଏହି ତଦନ୍ତ ବେଳେ ପୁରାତନ ଛାତ୍ର ପ୍ରତାପ ମହାନ୍ତି, ଚିତରଞ୍ଜନ ଦାସ, ବିଧୁଭୂଷଣ ମହାପାତ୍ର ପ୍ରମୁଖ କଲେଜରେ ଉପସ୍ଥିତ ରହି ତଦନ୍ତରେ ପୋଲିସକୁ ସାହାଯ୍ୟ କରିଥିଲେ । ସଂପୃକ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ପୋଲିସ ଗିରଫ କରୁନଥିବାରୁ ପୋଲିସର ଭୂମିକାକୁ ନେଇ ପୁରାତନ ଛାତ୍ରମାନେ ପ୍ରଶ୍ନ ଉଠାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୫ତାରିଖରେ କଲେଜ ଅଧ୍ୟକ୍ଷ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା । କିନ୍ତୁ ଅଭିଯୁକ୍ତ ଅଧ୍ୟାପକଙ୍କ ସହିତ ଅନ୍ୟଜଣଙ୍କୁ ପୋଲିସ ଛାଡିଦେଇଥିବା ବେଳେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୪ଦିନ ଧରି କଲେଜର ପୁରାତନ ଛାତ୍ରମାନେ ଟାଉନ ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ଏହାକୁ ଅତ୍ୟନ୍ତ ହାଲୁକା ଭାବରେ ନେଉଥିବାରୁ ଧାରଣାକାରୀ ଓ ପୋଲିସ ଭିତରେ ଆଲୋଚନା ସଫଳ ହୋଇନାହିଁ । ଅନ୍ୟପକ୍ଷରେ ଅଦ୍ୟାବଧି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କ ସହ ଆଲୋଚନା କରିନଥିବା ଜଣାପଡିଛି । ଆଜି ଧାରଣାରେ ପୁରାତନ ଛାତ୍ର ଚିତରଞ୍ଜନ ଦାସ, ପ୍ରତାପ ମହାନ୍ତି, ଭାଗିରଥୀ ଜେନା, ଗୟାଧର ଧଳ, ମୁକ୍ତାର ଖାଁ, ନିରଞ୍ଜନ ପରିଡା, ବିଧୁଭୂଷଣ ମହାପାତ୍ର, ମୁକ୍ତାର ଅଲ୍ଲୀ ଓ ବିନୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *