ଲକ୍ଷ୍ମୀପୁର, ୨୯/୧୧/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲାରେ ବସ ବାସ କରୁଥିବା ଆଦିବାସୀ ଲୋକେ ପରମ୍ପରାକୁ କେବେ ଭୂଲନ୍ତି ନାହିଁ । ପୂର୍ବରୁ ଚାଲି ଆସୁଥିବା ପରମ୍ପରା ଆଜି ଏଇ ଆଦିବାସୀଙ୍କ ପାଇଁ ଜୀବିତ ଅଛି , ଯାହାର ଏକ ଉଦାହରଣ ଆଜି ଲକ୍ଷ୍ମୀପୁର ବ୍ଲକରେ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ବୁର୍ଜା ପଞ୍ଚାୟତର ମାତଲମ୍ବା ଗ୍ରାମର କିଛି ଆଦିବାସୀ ବୃଦ୍ଧା ମାନଙ୍କୁ ଆଜି ରାସ୍ତାକଡ଼ରେ ରନ୍ଧା ଖାଦ୍ୟ ନେଇ ପୂଜା କରୁଥିବା ଦେଖିବାକୁ ମିଳିଥିଲା।ଏନେଇ ସେମାନଙ୍କୁ କି ପୂଜା ବୋଲି ପଚାରିବାରୁ”ସେମ୍ଲି ଡଙ୍ଗ” ପୂଜା ବା ଗାଈ ପରବ୍ ବୋଲି କହିଥିଲେ। ସେଠାରେ ଧୂପ ଦୀପ ଦେଇ ନଡ଼ିଆ ବାଡେଇ ପୂଜା କରି ସାରି କୁକୁଡ଼ା ବଳି ପକାଇଥିଲେ। ଏହି ପୂଜା କରିବା ଦ୍ୱାରା ଆଗକୁ ଚାଷୀ ମାନେ ହଳ କଲେ ଗାଈ ଗୋରୁଙ୍କୁ ବଳ ମିଳେ, କୌଣସି ରୋଗ ହୁଏ ନାହିଁ ବୋଲି ବେଜୁଣୀ ସୁରଞ୍ଜି ମାଣ୍ଡିଙ୍ଗା ଶୁଣୁ ଦେଇ ମାଣ୍ଡିଙ୍ଗା ସହ ଗାଁ ଲୋକେ କହିଥିଲେ। ପୂର୍ବରୁ ଚଳି ଆସୁଥିବା ଏହି ପରମ୍ପରା ମୁତାବକ ପୂଜାରେ ବ୍ୟବହୃତ ଖାଦ୍ୟ ପଦାର୍ଥ ଗୁଡ଼ିକୁ ସେମିତି ପୂଜା ସ୍ଥାନରେ ଛାଡିକି ଗଲେ ଗାଁରେ ମୃତ୍ୟୁ ବରଣ କରିଥିବା ଅନେକ ଲୋକ କୁଆଡେ ତାକୁ ପଶୁ ପକ୍ଷୀଙ୍କ ରୂପରେ ଆସି ଖାଇଲେ ଗ୍ରାମକୁ ବିପଦ ଆସେ ନାହିଁ ବୋଲି ବିଶ୍ବାସ ରହିଥିବା କହିଥିଲେ। ଆଜି ଏଇ ସବୁ ମାନ୍ୟତା ସହରାଞ୍ଚଳରୁ ଉଠି ଯାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ କିନ୍ତୁ ଜୀବିତ ରହିଛି।