ନିର୍ମାଣର ୬ମାସ ଭିତରେ ୫-ଟି ସ୍କୁଲର ଏଭଳି ଅବସ୍ଥା
କେନ୍ଦ୍ରାପଡା, ୫/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୫-ଟି ଯୋଜନାର ତୃତୀୟ ପର୍ଯ୍ୟାୟରେ ଗତ ୬ମାସ ତଳେ ଏହି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ କରାଯାଇଛି । ମୋଟ ବ୍ୟୟ ଅଟ୍ଟକଳ ୪୫ଲକ୍ଷ ଟଙ୍କା ରହିଥିବା ବେଳେ ଗୃହନିର୍ମାଣ ପାଇଁ ବ୍ୟୟ ଅଟ୍ଟକଳ ୭ଲକ୍ଷ, ୬୫ହଜାର ୮୦ଟଙ୍କା ରହିଛି । ୫-ଟି ଯୋଜନାରେ ନିର୍ମିତ ଏହି ବାଳିକା ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ କରାଯାଇଥିବା ବେଳେ ନିର୍ମାଣର ୬ମାସ ପୁରଣ ହୋଇନଥିବା ବେଳେ ସେହି ଗୃହର ଛାତ ଫାଟି ଯାଇଥିବା ସହ ଗୃହର କାନ୍ଥ ମଧ୍ୟ ଫାଟି ଯାଇଛି । କେନ୍ଦ୍ରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ୱରୂପ କୁମାର ଦାଶଙ୍କ ନାମରେ ଏହି କାର୍ଯ୍ୟର କାର୍ଯ୍ୟାଦେଶ ରହିଛି । ସଂପୃକ୍ତ ଗୃହ ନିର୍ମାଣ ବେଳେ ବାଲି ଫିଲିଂ କରାଯାଇଥିବା କାର୍ଯ୍ୟର ଅଟ୍ଟକଳ ଓ ବିଲରେ ରହିଥିବା ବେଳେ ପ୍ରକୃତରେ ବାଲି ଫିଲିଂ କରାଯାଇନାହିଁ । ପୂର୍ବରୁ ଥିବା ଏକ ପୁରାତନ ବିଲିଡିଂର କାନ୍ଥ ଉପରେ ଛାତ ପକାଯାଇ ନିର୍ମିତ ହୋଇଥିବା ୬ଟିି ଶ୍ରେଣୀଗୃହ ବ୍ୟତିତ ଗୋଟିଏ ନୃତନ ଗୃହ ମଧ୍ୟ ନିର୍ମାଣ କରାଯାଇଛି । ଏହି ନୂତନ ଗୃହର ଛାତ ଓ କାନ୍ଥ ଫାଟିଯାଇଥିବା ବେଳେ ପୁରୁଣା ଶ୍ରେଣୀଗୃହର କାନ୍ଥ ମଧ୍ୟ ଫାଟି ଯାଇଥିବା ଦେଖାଯାଇଛି । ଏହି ଶ୍ରେଣୀ ଗୃହର ନିର୍ମାଣ ସମୟରେ କେନ୍ଦ୍ରାପଡା ବ୍ଲକର କୌଣସି ଯନ୍ତ୍ରୀ ବା ଅଧିକାରୀ ଉପସ୍ଥିତନଥିବା ଅଭିଯୋଗ ହୋଇଛି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଆର.କେ. ସପ୍ଲାଏ ଏଜେନ୍ସୀ, ବଳଭଦ୍ରପୁର, ଜମଧରଙ୍କ ଠାରୁ ଡୋର ମ୍ୟାଟ୍, ଆର.ସି.ସି. ପିଲାର, ୱେଦରକୋଟ ପ୍ରଭୃତି ୬୩ହଜାର ୬୭୨ଟଙ୍କାର ସାମଗ୍ରୀ କିଣାଯାଇଥିବା ବେଳେ ଏସବୁ ସାମଗ୍ରୀ ବିଶ୍ୱଜିତ ସାମଲ ନାମକ ବ୍ୟକ୍ତି ଉକ୍ତ ସଂସ୍ଥା ଠାରୁ ଗ୍ରହଣ କରିଥିବା ଇନଭଏସ୍ ରେ ସ୍ୱାକ୍ଷର କରିଛନ୍ତି । ମାର୍ଶାଘାଇ ସପ୍ଲାଇ ଏଜେନ୍ସୀ, ମାର୍ଶାଘାଇଙ୍କ ଠାରୁ ସିମେଂଟ, ଲୁହାରଡ୍, ବାଇଣ୍ଡିଂ ତାର ଓ ପ୍ଲାଏ ପାନେଲ ପ୍ରଭୃତି ୩ଲକ୍ଷ ୫୩ହଜାର ୪୮ଟଙ୍କାର ସାମଗ୍ରୀ କିଣାଯାଇଥିବା ବେଳେ ଏସବୁ ସାମଗ୍ରୀକୁ ମଧ୍ୟ ବିଶ୍ୱଜିତ ସାମଲ ନାମକ ବ୍ୟକ୍ତି ସଂପୃକ୍ତ ସଂସ୍ଥାଠାରୁ ଗ୍ରହଣ କରିଥିବା ଇନଭଏସରେ ସ୍ୱାକ୍ଷର କରିଛନ୍ତି । ଏଥିସହିତ ଗୃହନିର୍ମାଣ ପାଇଁ ଆବଶୟକ ସଟରିଙ୍ଗ ସାମଗ୍ରୀ, ଡିସପ୍ଲେ ଏବଂ ଧଳାବୋର୍ଡ ପ୍ରଭୃତି ବିଶ୍ୱଜିତ ସାମଲ ନାମକ ବ୍ୟକ୍ତି କାର୍ଯ୍ୟନିର୍ବାହୀଙ୍କୁ ଯୋଗାଇଦେଇ ଏକଲକ୍ଷ ୬ହଜାର ୩୬୦ଟଙ୍କା ବୁଝି ନେଇଥିବା ରସିଦରେ ଉଲ୍ଲେଖ ରହିଛି । ସେହିଭଳି ବାଲି, ଲୁହାରଡ, ଚିପ୍ସ ପ୍ରଭୃତି ବିଶ୍ୱଜିତ ସାମଲ କାର୍ଯ୍ୟନିର୍ବାହୀଙ୍କୁ ଯୋଗାଇଦେଇ ଏକଲକ୍ଷ ୪୬ହଜାର ୪୮୭ଟଙ୍କା ତାଙ୍କ ଠାରୁ ବୁଝି ନେଇଥିବା ସଂପୃକ୍ତ ଏକ ରସିଦ୍ରୁ ଜଣାପଡିଛି । ଏହାପରେ ଆର.କେ. ସପ୍ଲାଏ ଏଜେନ୍ସୀ, ବଳଭଦ୍ରପୁର, ଜମଧରଙ୍କ ଠାରୁ ପୁନର୍ବାର ବେସିନ ଓ ପିଭିସି ପାଇପ୍ ପ୍ରଭୃତି ୭ହଜାର ୫୫୨ଟଙ୍କାର ସାମଗ୍ରୀ ବିଶ୍ୱଜିତ ସାମଲ ନାମକ ବ୍ୟକ୍ତି ଗ୍ରହଣ କରିଛନ୍ତି ।
ଏହାବ୍ୟତିତ ବାଲିଚନ୍ଦ୍ରପୁର କଲେଜଛକସ୍ଥିତ ସାମଲ ଇଲେକ୍ଟ୍ରିକାଲ୍ସ ଠାରୁ ସୁଇଚ୍ ବୋର୍ଡ, ତାର, ବଲ୍ୱ ଓ ଟେବୁଲ ଲ୍ୟାମ୍ପ୍ ପ୍ରଭୃତି ୭ହଜାର ୫୫୨ଟଙ୍କାର ସାମଗ୍ରୀ କିଣାଯାଇଥିବା ବେଳେ ସେହିସବୁ ସାମଗ୍ରୀ ମଧ୍ୟ ବିଶ୍ୱଜିତ ସାମଲ ସଂସ୍ଥା ଠାରୁ ଗ୍ରହଣ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ମଷ୍ଟରରୋଲରେ ୭୯ହଜାର ୩୩୫ଟଙ୍କା ବିନିଯୋଗ ହୋଇଥିବା ଦର୍ଶାଯାଇଥିବା ବେଳେ ସେଥିରେ ଥିବା ସ୍ୱାକ୍ଷର ଗୁଡିକ ସମ୍ପୂର୍ଣ୍ଣ ଜାଲ ବୋଲି ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଫାଇଲରେ ଥିବା ଅଣ୍ଡରଟେକିଂରେ କାର୍ଯ୍ୟନିର୍ବାହୀଙ୍କ ସ୍ୱାକ୍ଷର ନଥିବା ଦେଖିବାକୁ ମିଳିଛି । ସିମେଂଟ, ଲୁହାରଡ୍, ବାଇଡିଂ ତାର ଓ ପ୍ଲାଏ ପ୍ୟାନେଲ ପ୍ରଭୃତି ନିକଟସ୍ଥ କେନ୍ଦ୍ରାପଡା ସହରରେ ମହଜୁଦ ଥିବା ବେଳେ କ’ଣ ପାଇଁ ଏସବୁ ସାମଗ୍ରୀ ମାର୍ଶାଘାଇରୁ କିଣାଯାଇଛି ତାହା ବୁଝାପଡୁନାହିଁ । ସୁଇଚ୍ ବୋର୍ଡ, ତାର, ବଲ୍ୱ ଓ ଟେବୁଲ ଲ୍ୟାମ୍ପ୍ ପ୍ରଭୃତି କେନ୍ଦ୍ରାପଡାରେ ମହଜୁଦ ଥିବା ବେଳେ ଏସବୁ ବାଲିଚନ୍ଦ୍ରପୁରରୁ କାହିଁକି କିଣା ଯାଇଛି ? କିଣାଯାଇଥିବା ସମସ୍ତ ସାମଗ୍ରୀ ଗୁଡିକ ପାଇଁ ସଂପୃକ୍ତ ସଂସ୍ଥା କ୍ୟାସମେମୋ ବା ବିଲ ପ୍ରଦାନ କରିବା ପରିବର୍ତେ ଇନଭଏସ ପ୍ରଦାନ କରିଥିବା ବେଳେ ସେଥିନିମନ୍ତେ ଜିଏସଟି କିଭଳି ନେଇଛନ୍ତି । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଘୋଟାଲା ହୋଇଥିବା ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଚିତରଞ୍ଜନ ଦାସ, ବିରଜା ମହାନ୍ତି, ସଞ୍ଜୟ ଦାସ, ଅଲେଖ ଦାସ, ସୁମନ୍ତ ଦାସ, ବିଶ୍ୱଜିତ ମହାନ୍ତି ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘୋଟାଲାର ଭିଜିଲାନ୍ସ ବିଭାଗ ଦ୍ୱାରା ନିରପେକ୍ଷ ତଦନ୍ତ କରାଯିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି ।
ଭରତପୁର ୫-ଟି ବାଳିକା ଉଚ୍ଚବିଦ୍ୟାଳୟର ଛାତ ଓ କାନ୍ଥରେ ଫାଟ
