କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, ୧/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୌରସଂସ୍ଥା ଟାଉନ୍ ହଲ୍ ରେ ଜିଲାପାଳ ସୂର୍ୟ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲାପାଳ ଅଶୋକ କୁମାର ଦାସ, ଜିଲାପରିଷଦ ଉପ-ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାସିନ୍ଧୁ ପରିଡ଼ା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନୀତା ପଟ୍ଟନାୟକ, କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେହୁରୀ ଓ ବିଡିଓ ବନ୍ଦନା ଖଟୁଆ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀଙ୍କ ସମେତ ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍ ର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୬୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୧୮ ଟି ସାମୁହିକ ଅଭିଯୋଗ ଏବଂ ୧୪୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲଫ୍ ଫଣ୍ଡରୁ ୩୦ ହଜାର ଟଙ୍କା ୪ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲାପାଳ ମଞ୍ଜୁର କରିଥିବା ବେଳେ ରେଡକ୍ରସ୍ ପାଣ୍ଠିରୁ ୩ଜଣ ଆବେଦନକାରୀଙ୍କୁ ଚିକିତ୍ସା ସହାୟତା ବାବଦରେ ମୋଟ୍ ୨୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ଼ ପ୍ରଦାନ, ବାର୍ଦ୍ଧକ୍ୟ ଭତା, ମଧୁବାବୁ ପେନସନ ଯୋଜନା, ଜମି ସମସ୍ୟା, ପିଏମ୍ କିସାନ୍, ଟ୍ରାଇ ସାଇକେଲ୍ ବ୍ୟାଟେରୀ ଗାଡ଼ି ପ୍ରଦାନ, ରାତ୍ର ଜଗୁଆଳି ନିଯୁକ୍ତି, ଜମି ସୀମା ନିର୍ଦ୍ଧାରଣ ଆଦି ଦରଖାସ୍ତଗୁଡ଼ିକ ରହିଥିଲା । ସେହିପରି ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ଗୋଚର ଜମିର ବେଆଇନ ବ୍ୟବହାର, ବିଦ୍ୟାଳୟ ଅର୍ଥ ଆତ୍ମସାତ, ଆୟତପୁର ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟ ସ୍ଥାନାନ୍ତର, ଜବରଦଖଲରେ ଥିବା ଜଳାଶ୍ରୟ ଜମିର ପୁନଃରୁଦ୍ଧାର, ନୂତନ ରାଜସ୍ୱ ଜମିଗଠନ, ଗ୍ରାମ୍ୟ ରାସ୍ତା ମରାମତି, ଚେକ୍ ଡ୍ୟାମ୍ ନିର୍ମାଣ, ଗ୍ରାମ୍ୟ ରାସ୍ତା ଅବରୋଧ ହଟାଇବା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଁ ସାଥୀମାନଙ୍କ ସମସ୍ୟା ସମାଧାନ, ଗିରି ଗୋବର୍ଦ୍ଧନ ନବୀକରଣ ଯୋଜନାରେ ହୋଇଥିବା ଅନିୟମିତା ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ, ଗୋଗୁଆ ପଂଚାୟତ ହାଇସ୍କୁଲ୍ ରେ ଶିକ୍ଷକ ନିଯୁକ୍ତି, ଚନ୍ଦନନଗର ଉନ୍ନୀତ ବିଦ୍ୟାଳୟର ଉନ୍ନତିମୂଳକ କାର୍ୟ୍ୟ ଆଦି ସମସ୍ୟାଗୁଡ଼ିକ ରହିଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *