ଜଗତସିଂହପୁର, ୨୮/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟର ସଦ୍ଭାବନା ସଭାଗୃହରେଜିଲ୍ଲା ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ,ଶିଶୁ ଶ୍ରମିକ ନିରୋଧ ଟାସ୍କ ଫୋର୍ସ, ଜଏଣ୍ଟ ଆକ୍ସନ ପ୍ଳାନ ଅନ ପ୍ରିଭେନସନ ଅଫ ଡ୍ରଗ ଆଣ୍ଡ ସବଷ୍ଟାନସ ଆବ୍ୟୁଜ, ଅବୈଧ ଚାଲାଣ, ଶିଶୁ ମଙ୍ଗଳସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ,ଚାଇଲ୍ଡ ଲାଇନ ସେବା ୧୦୯୮ ର ମିଳିତ ତ୍ରୟ ମାସିକ ବୈଠକ ସହ ଆୟୋଜିତ ହୋଇଯାଇଛି ‘ଶିଶୁ ପାଇଁ ଦିନଟିଏ ‘ ତ୍ରୟ ମାସିକ ବୈଠକ ଏବଂ ଶିଶୁ ଶ୍ରମିକ ନିରାକରଣ ତଥା ଶିଶୁ ସୁରକ୍ଷା ଗ୍ରାଣ୍ଟ ପାଇଁ ଏକ ସଚେତନତା ବୈଠକ।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଶିଶୁ ଶ୍ରମିକ ପ୍ରଥା କୁ ଏକ ସମାଜିକ ବ୍ୟାଧି ରୂପେ ଅଭିହିତ କରିବା ସହ ଏହାର ନିରାକରଣ ଦିଗରେ ସମସ୍ତଙ୍କ ର ଦାୟିତ୍ଵ ରହିଛି ବୋଲି କହିଥିଲେ । ଏକବିଂଶ ଶତାବ୍ଦୀରେ ଉନ୍ନତି ଓ ପ୍ରଯୁକ୍ତି ବିଦ୍ୟା ର ଦୁନିଆ ରେ ଶିଶୁ ଶ୍ରମିକ ପ୍ରଥା ଏକ ଘୃଣ୍ୟ ତଥା ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଥିଲେ। ସମାଜ ର ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି
ସଜାଗ ହେବା ସହ ଶ୍ରମ ବିଭାଗ ଏଥିପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ୧୪ ବର୍ଷ ରୁ କମ୍ ବୟସର ଶିଶୁ ମାନଙ୍କୁ ଶ୍ରମିକ ଭାବେ ନିୟୋଜନ ଏକ ଆଇନତଃ ଦଣ୍ଡନୀୟ ଅପରାଧ ଏବଂ ଏଥିପାଇଁ ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଅଧିନିୟମ-୧୯୮୬ ର ଧାରା ୩ ଅନୁସାରେ ଶିଶୁ ମାନଙ୍କୁ ୧୮ ଟି ବୃତ୍ତି ତଥା ୬୫ ଟି ପ୍ରକ୍ରିୟା ରେ ନିୟୋଜିତ କରିବା ସମ୍ପୂର୍ଣ୍ଣ ବାରଣ କରାଯାଇଅଛି। ବୈଠକରେ କିଶୋର ନ୍ୟାୟ ଅଧିନିୟମ ୨୦୧୫,ଶିଶୁ ଯୌନ ଶୋଷଣ ସୁରକ୍ଷା ଅଧିନିୟମ ୨୦୧୨, ମିଶନ ବାତ୍ସଲ୍ୟ, ପୋଷ୍ୟ ସନ୍ତାନ ଗ୍ରହଣ ତଥା ଶିଶୁ ସୁରକ୍ଷା ନିମନ୍ତେ ତୃଣମୂଳ ସ୍ତରରେ ବିଭିନ୍ନ ଗ୍ରାଣ୍ଟ ଓ ଏହାର କାର୍ୟ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ସେହିପରି ବିଦ୍ୟାଳୟ ପରିସରର ୧୦୦ ଗଜ ଦୂରତା ମଧ୍ୟରେ କୌଣସି ନିଶା ଦ୍ରବ୍ୟ ବିକ୍ରୟ ଏକ ଦଣ୍ଡନୀୟ ଅପରାଧ ଏବଂ ଏଥିପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ
ଜିଲ୍ଲାପାଳ ଶ୍ରୀ ସାହା ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅବକାରୀ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ଗୁଡିକରେ ପ୍ରହରୀ ସଚେତନତା କ୍ଲବ ଖୋଲିବା, ଔଷଧ ଦୋକାନ ରେ ସି ସି ଟିଭି ଲଗାଇବା, ବିଭିନ୍ନ ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ। ଅନ୍ୟପଟେ ବଜାର କମିଟି ସମ୍ପାଦକ ଙ୍କୁ କୌଣସି ଦୋକାନ ରେ ୧୪ ବର୍ଷ ରୁ କମ୍ ଶିଶୁ ଶ୍ରମିକ ନିୟୋଜିତ ନ କରିବା ଦିଗରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ୟ୍ୟକ୍ରମ କୁ ପ୍ରୋତ୍ସାହନ ଦେଇ ସମାଜକୁ ଶିଶୁ ଶ୍ରମିକ ଓ ଅବୈଧ ଚାଲାଣ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମତ ଦେଇଥିଲେ।ଏହି ସଭାର ମୁଖ୍ୟ ଆଭିମୁଖ୍ୟ “ଶିଶୁ ଶ୍ରମିକ ମୁକ୍ତ ଜଗତସିଂହପୁର ଆମ ସଂକଳ୍ପ” ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ସ୍ମୃତି ରେଖା ନାୟକ ତାଙ୍କ ବକ୍ତବ୍ୟ ରଖିଥଲେ ଏବଂ ମାସ ବ୍ୟାପି କାର୍ୟ୍ୟକ୍ରମ ର ଏକ ତାଲିକା ଦେଇଥିଲେ। ପ୍ରକାଶ ଥାଉକି, ବର୍ତ୍ତମାନ ଶ୍ରମ ବିଭାଗ ପକ୍ଷରୁ ଏକ ମାସ ଧରି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ୟ୍ୟକ୍ରମ ଚାଲୁରହିଛି ଓ ଏହି ଅନ୍ତର୍ଗତ ଗତ ଦୁଇ ଦିନ ରେ ଏରସମା ଓ ପାରାଦ୍ଵୀପ ଅଞ୍ଚଳରେ ଦୁଇଜଣ ଶିଶୁ ଶ୍ରମିକ କୁ ଉଦ୍ଧାର କରାଯିବା ସହ ନିୟୋଜିତ କରିଥିବା ବ୍ୟକ୍ତି ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାଛଡ଼ା ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁଚରଣ ରାଉତ ଶିଶୁ ସୁରକ୍ଷା ବିଭାଗ ର ବ୍ୟବସ୍ଥା ବିଷୟ ରେ ସୂଚନା ଦେଇଥିଲେ। ବିଭିନ୍ନ ଶିଶୁ ସୁରକ୍ଷା ଓ ଶିଶୁ ମଙ୍ଗଳ କାର୍ୟ୍ୟାଳୟ ରେ ଥିବା ଶିଶୁ ମାନଙ୍କୁ ଶିକ୍ଷା ର ସମସ୍ତ ବ୍ୟବସ୍ଥା ସହିତ ମନୋରଞ୍ଜନ କାର୍ୟ୍ୟକ୍ରମ, ଭୋକେସନାଲ ଟ୍ରେନିଂ, କୋ କରିକୁଲାର କାର୍ୟ୍ୟକ୍ରମ, ୱର୍କସପ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଶିଶୁ ଶ୍ରମିକ ସଚେତନତା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଜିଲ୍ଲା ସ୍ତରୀୟ ବକୃତା,ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଗତସିଂହପୁର ରେ ତା ୨୭.୦୬.୨୦୨୪ ରିଖରେ ଅନୁଷ୍ଠିତ ହୋଇଥିଲା। ସେଥିରେ ଉତ୍ତୀର୍ଣ୍ଣ ୯ ଜଣ ପ୍ରତିଯୋଗୀ ମାନଙ୍କୁ ଆଜି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ପୁରସ୍କୃତ କରିଥିଲେ। ବୈଠକରେ ଜିଲ୍ଲାପାଳ ସି ଡି ପି ଓ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରେ ଏହାର ସମୀକ୍ଷା ବୈଠକ କରିବା ସହ ପ୍ରତ୍ୟକ୍ଷ ଭାବେ ସମସ୍ତ ସମସ୍ୟା ଗୁଡ଼ିକୁ ବୁଝି ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ରୁ ଡ୍ରପ୍ଆଉଟ୍ ଚିହ୍ନଟ,ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପ୍ୟାସେଜ , ଅଦ୍ଵିକ୍ ଆପ, ବିଦ୍ୟାଳୟରେ ପ୍ରହରୀ କ୍ଲବ,ଇତ୍ୟାଦି ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା,ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଶକୁନ୍ତଳା ଚୌଧୁରୀ, କିଶୋର ନ୍ୟାୟ ପରିଷଦର କର୍ମକର୍ତ୍ତା,ଜିଲ୍ଲା ମଙ୍ଗଳ ଅଧିକାରୀ,ଲେବର ଅଫସର,ଜିଲ୍ଲାର ସମସ୍ତ ସି ଡି ପି ଓ ,ପୋଲିସ ବିଭାଗ ଓ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ,କିଶୋର ନ୍ୟାୟ ପରିଷଦର ସଦସ୍ୟ,ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ, ତ୍ରୟ ମାସିକ ବୈଠକ ଏବଂ ଶିଶୁ ଶ୍ରମିକ ନିରାକରଣ ତଥା ଶିଶୁ ସୁରକ୍ଷା ଗ୍ରାଣ୍ଟ ପାଇଁ ସଚେତନତା ବୈଠକ
