ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୨୭/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ନେତାଜୀ ମଡେଲ ସ୍କୁଲ ପରିସରରେ ନକୁଳ ଚରଣ ଦାସଙ୍କ ସ୍ମୃତି କମିଟି ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଭୂଦାନ କର୍ମୀ ନକୁଳ ଚରଣ ଦାସଙ୍କର ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଟିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ଦାସ ଜଣେ ପ୍ରକୃତ ଲଢୁଆ ସଂଗ୍ରାମୀ ଥିଲେ । ସର୍ବୋଦୟ ଭୂଦାନ ଆନ୍ଦୋଳନରେ ସେ ନିଜକୁ ଉତ୍ସର୍ଗ କରିବା ସହିତ ଭାରତଛାଡ ଆନ୍ଦୋଳନରେ ଯୋଗଦାନ କରି ବହୁ ଦୁଃସାହସିକ କାର୍ଯ୍ୟ କରିଥିଲେ । ସେ ଜଣେ ନିଷ୍ଠାପର ଗାନ୍ଧୀବାଦୀ ମଣିଷ ଥିଲେ । ସମ୍ମାନୀତ ଅତିଥି ଭାବେ ଗୟାଧର ଧଳ, ଧିରେନ ସାହୁ, ପାର୍ବତୀ ନାୟକ, ରାଜେଶ ପଣ୍ଡା, କରୁଣାକର କର, ମୁକ୍ତାର ଖାଁ, କୁଳମଣୀ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ଜିଲା ସଭାପତି ଭାବେ ସ୍ୱର୍ଗତ ଦାସ କାର୍ଯ୍ୟ କରି ୧୫୦ତମ ଗାନ୍ଧି ଜୟନ୍ତୀ କମିଟିର ସେ ଥିଲେ ମଙ୍ଗୁଆଳ । ବିପ୍ଳବୀ ନକୁଳ ଦାସ କେନ୍ଦ୍ରାପଡାର ବହୁମୁଖୀ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିଲେ ବୋଲି ଅତିଥିମାନେ କହିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜୁ କୁବେର, କରୁଣାକର ସାହୁ, ସନାତନ ଚୌଧୁରୀ, ସରୋଜ ସାହୁ, ରବିନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ପ୍ରିୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *