ବିଜ୍ଞାନ ଓ କାରିଗରୀ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା

                           ସାରା ରାଜ୍ୟରେ କାର୍ଯ୍ୟକ୍ରମ ସଂପ୍ରସାରଣ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପରାମର୍ଶ

ଭୁବନେଶ୍ୱର, ୨୪/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗକୁ ଅଧିକ କି୍ରୟାଶୀଳ କରିବା ସହିତ କାର୍ଯ୍ୟକ୍ରମଗୁଡ଼ିକୁ ସଂପ୍ରସାରିତ କରିବା ଉପରେ ଗୁରତ୍ୱ ଦେଇଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଏକ ବୈଠକରେ ଯୋଗ ଦେଇଥିଲେ । ବିଭାଗର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଦୃଷ୍ଟିରେ ମନ୍ତ୍ରୀ ଶ୍ରୀ ପାତ୍ର ବିଜ୍ଞାନ ଯୋଗାଯୋଗ ସାଙ୍ଗକୁ ଇନୋଭେସନ ହବ୍‌, ସାଇନ୍ସ ପାର୍କ ଓ ମୁ୍ୟଜିୟମ୍‌ ଇତ୍ୟାଦିର ପ୍ରତିଷ୍ଠା ସହିତ  ଜିଲ୍ଲାସ୍ତରରେ ବିଜ୍ଞାନ ଉତ୍ସବ ଆୟୋଜନ ନିମନ୍ତେ ପରାମର୍ଶ ଦେଇଛନ୍ତି ।

    ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ ବରିଷ୍ଠ ଅଧିକାରୀମାନଙ୍କ ସହିତ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ସ୍ୱାଗତ ଜଣାଇଥିଲେ । ସମୀକ୍ଷା ବୈଠକରେ ଶ୍ରୀମତୀ ଅରୁମୁଗମ୍‌ ବିଭାଗର କାର୍ଯ୍ୟାବଳୀ ତଥା ବିଭିନ୍ନ ଯୋଜନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ ବିଭାଗର ପ୍ରଶାସନ ଅଧିନରେ ଓଡ଼ିଶା ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ, ବିଜ୍ଞାନ ଏକାଡ଼େମୀ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର (ଓର୍‌ସାକ୍‌) ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ପରି ଅନୁଷ୍ଠାନଗୁଡ଼ିକ କାର୍ଯ୍ୟ କରୁଛନ୍ତି । ବିଭାଗ ପକ୍ଷରୁ ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନ, ଗବେଷଣା ନିମନ୍ତେ ଆର୍ଥିକ ସହାୟତା, ଫେଲୋସିପ୍‌ ପ୍ରଦାନ କରାଯାଉଥିବାବେଳେ ୟୁନେସ୍କୋ-କଳିଙ୍ଗ ଆନ୍ତର୍ଜାତିକ ବିଜ୍ଞାନ ପୁରସ୍କାର ପାଇଁ ମଧ୍ୟ ସହାୟତା ଦିଆଯାଏ । ପ୍ରମୁଖ ଶାସନ ସଚିବ କହିଥିଲେ ଯେ ଓଡ଼ିଶା ବିଜ୍ଞାନ ଏକାଡେମୀ ଆନୁକୂଲ୍ୟରେ ବିଭିନ୍ନ ପ୍ରକାଶନ ସାଙ୍ଗକୁ ବିଜ୍ଞାନରେ ଉତ୍କର୍ଷ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର ସମେତ ପଠାଣି ସାମନ୍ତ ବିଜ୍ଞାନ ପୁରସ୍କାର, ଯୁବ ବିଜ୍ଞାନୀ ପୁରସ୍କାର, ବିଜ୍ଞାନ ପୁସ୍ତକ ଲେଖକ ପୁରସ୍କାର ଦିଆଯାଏ ଏବଂ ବରିଷ୍ଠ ବୈଜ୍ଞାନିକମାନଙ୍କୁ ସମ୍ମାନିତ କରାଯାଏ । ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଗଣିତ ବିଦ୍ୟା କ୍ଷେତ୍ରରେ ମୌଳିକ ଗବେଷଣା କେନ୍ଦ୍ର ଭାବରେ କାର୍ଯ୍ୟ କରିଥାଏ । ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ସମେତ ଅନ୍ୟାନ୍ୟ ପ୍ଲାନେଟାରିୟମ୍‌ ଓ ବିଜ୍ଞାନ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି । ସେହିପରି ‘ଓର୍‌ସାକ୍‌’ ବିଭିନ୍ନ ସରକାରୀ ବିଭାଗ, ସରକାରୀ ଉଦ୍ୟୋଗ ଓ ଅନ୍ୟାନ୍ୟ ଗବେଷଣା ପ୍ରତିଷ୍ଠାନରେ ଉପଯୋଗ ପାଇଁ ବିଭିନ୍ନ ଦୂରସମ୍ବେଦୀ ପ୍ରୟୋଗ ଆପ୍‌ ଯୋଗାଇଦେବାରେ ଶୀର୍ଷ ସଂସ୍ଥା ଭାବରେ କାର୍ଯ୍ୟ କରୁଛି । ବିଭାଗ ପକ୍ଷରୁ ନୂତନ ଜୈବପ୍ରଯୁକ୍ତି ନୀତି ପ୍ରଣୟନ କରାଯାଇଛି ଓ ଏଥି ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ କାର୍ଯ୍ୟ କରୁଛି ବୋଲି ଦର୍ଶାଇବା ସହିତ ବିଭାଗ ଆଗାମୀ ଦିନରେ ଓଡ଼ିଶା ସାମୁଦି୍ରକ ଜୈବପ୍ରଯୁକ୍ତି ଓ ଇନୋଭେସନ୍‌ କରିଡର ସାଙ୍ଗକୁ ବିଶ୍ୱସ୍ତରୀୟ ସାଇନ୍ସ ସିଟି ପ୍ରତିଷ୍ଠା ଏବଂ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନକୁ ଏକକ ବିଶ୍ୱବିଦ୍ୟାଳୟ ଭାବରେ ପରିଣତ କରିବାର ଲକ୍ଷ୍ୟ ରଖିଛି ବୋଲିପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅରୁମୁଗମ୍‌ ଉଲ୍ଲେଖ କରିଥିଲେ ।

          ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେବା ସହିତ ପରିବେଶ ସୁରକ୍ଷା ଓ ବ୍ୟୟହ୍ରାସକୁ ଦୃଷ୍ଟିରେ ରଖି ଉପକୂଳ କୃଷିର ବିକାଶ ନିମନ୍ତେ ସୌର-ପବନ ହାଇବି୍ରଡ୍‌ ବ୍ୟବସ୍ଥାରେ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

          ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର, ପି.କେ. ପାତ୍ର ଓ ଏସ୍‌. ମୁର୍ମୁ, ବିତ୍ତ ପରାମର୍ଶଦାତା ତଥା ଯୁଗ୍ମ ଶାସନ ସଚିବ ବିଦୁ୍ୟତପ୍ରଭା ରାଉତ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ ଓ ଉପନିର୍ଦ୍ଦେଶକ ଶଶିକାନ୍ତ ଦାଶଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଯାଇ ପରିସରରେ ବୃକ୍ଷରୋପଣ କରିବା ସହିତ ପ୍ଲାନେଟାରିୟମ୍‌ରେ ନୂତନ ବୈଶିଷ୍ଟ୍ୟ ଓ ଗ୍ୟାଲେରୀ ସଂଯୋଜନକ୍ରମେ ଏହାକୁ ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଭାବରେ ଗଢ଼ିତୋଳିବାକୁ ପରାମର୍ଶ ଦେଇଛନ୍ତି ।

-0-

Leave a Reply

Your email address will not be published. Required fields are marked *