ଦୟନୀୟ ଅବସ୍ଥାରେ ନିରାକାରପୁରରେ ଆରଆଇ ଅଫିସ

ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ, ମନଇଚ୍ଛା କାମ କରୁଛି ଠିକାଦାର

ନିରାକାରପୁର, ୧୭ /୬/୨୦୨୪ (ଓଡ଼ିଶା ସମାଚାର)- ଲୋକ ସଂଖ୍ୟା ଓ ସାଧାରଣ ଜନତାଙ୍କ ଦାବି ମୁତାବକ ସରକାର ବର୍ତ୍ତମାନ ବହୁ ସ୍ଥାନରେ ଗୋଟିଏ ଗୋଟିଏ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଅଲଗା କରି ନୂଆ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ନୂତନ ଗୃହ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି। କିନ୍ତୁ ଦୁଃଖ ବିଡ଼ମ୍ବନାର ବିଷୟ ସତେ ଯେମିତି   ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆର ଆଇ ଅଫିସକୁ ଅବହେଳା କରାଯାଇ କେବଳ ତାଳିପକ୍କା କାର୍ଯ୍ୟ ଚାଲୁଥିବା ଦେଖାଯାଉଛି। ଏଠି ଦୀର୍ଘ ବର୍ଷ ଧରି କଲେଜ ଛକ ନିକଟରେ ଦୟନୀୟ ଅବସ୍ଥାରେ ଥିବା ନିରାକାରପୁର ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟର ଉନ୍ନତି ଓ ନବୀକରଣ କେବଳ ତାଳିପକ୍କା କାମରେ ଚାଲିଛି। ଠିକାଦାର ବଞ୍ଚିବା ନ୍ୟାୟରେ ଏହି ଭଙ୍ଗା ଦଦରା କାର୍ଯ୍ୟାଳୟର ଉନ୍ନତି ପିଲା ଖେଳିଲା ପରି କରାଯାଉଛି। ପୂର୍ବରୁ ଏହି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଟି ଆଜବେଷ୍ଟସ ଛପରରେ ନିର୍ମାଣ କରାଯାଇଥିବା ବେଳେ ଗତ ଫନି ବାତ୍ୟାରେ ଏହାର ଆଜବେଷ୍ଟସ ଉଡ଼ି ଭାଙ୍ଗିରୁଜି ଯାଇଥିଲା।ଯେଉଁ ବିଭାଗୀୟ ଅଧିକାରୀ ମାନେ ଆସି ଏଠାରେ କାର୍ଯ୍ୟ କରିଲେ ସେମାନେ ଦିନରେ ସୂର୍ଯ୍ୟ ଓ ସନ୍ଧ୍ୟାରେ ଚନ୍ଦ୍ରର ଆଲୋକ ଅନୁଭବ କରୁଥିଲେ।

 ଦୀର୍ଘ ଦିନ ଧରି ଜରିପାଲ ଢାଙ୍କି ରଖାଯିବା ପରେ ସାମ୍ନା ପଟ ଅଫିସର ଗୋଟିଏ ଗୃହ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଠିକାଦାର ମାଧ୍ୟମରେ ଛାତ ପଡ଼ିଲା। କିନ୍ତୁ ଆଉ ଦୁଇଟି ବଡ ଗୃହ ଅଦ୍ୟାବଧି ଭଙ୍ଗା ଆଜବେଷ୍ଟସ ଢାଙ୍କି ହୋଇ ରହିଥିଲା। ପରେ ଏହି ଆଜବେଷ୍ଟସ କୁ ଉଠାଇ ପୂର୍ବରୁ ପଡ଼ିଥିବା ଛାତ ସହିତ ମିଶାଇ ଛାତ ପକାଇବା କାର୍ଯ୍ୟ ବର୍ତମାନ ଆରମ୍ଭ ହୋଇଛି। ପୁରୁଣା କାନ୍ଥ ଭାଙ୍ଗାଯାଇ ଆଜି ପକାଯାଉଥିବା ନିମଣ୍ଟାଲ ଢ଼ଲାଇ ସକାଳୁ ଆରମ୍ଭ ହୋଇଥିବାବେଳେ ଏହି କାର୍ଯ୍ୟର ତଦାରଖ ଦାୟିତ୍ଵ ଥିବା କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖା ଦର୍ଶନ ନ ଥିଲା। ଠିକାଦାର ତାର ମନଇଚ୍ଛା କାମ କରିଥିବାବେଳେ ସ୍ଥାନୀୟ ଲୋକେ ନାପସନ୍ଦ କରିଥିଲେ। ଏହି କାର୍ଯ୍ୟାଳୟର ଉନ୍ନତି କରଣ କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ୍ୟ ହେବା ସହିତ ଠିକାଦାର ବଞ୍ଚିବା ନ୍ୟାୟ ଚାଲିଛି। ଠିକାଦାର ମାନେ ଏହି ଅଫିସକୁ ଆସୁଥିବା କାର୍ଯ୍ୟ କେତେ ଯେ ନିମ୍ନ ମାନର କରୁଛନ୍ତି ଯିଏ ଦେଖିବ ସିଏ ହିଁ ଜାଣି ପାରିବ। ତେଣୁ ବିଭାଗୀୟ ଅଧିକାରୀ ମାନେ ନିଜେ ଉପସ୍ଥିତ ରହି ଏହି କାର୍ଯ୍ୟାଳୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ର ସଠିକ୍ ବିନିଯୋଗ କରି କାର୍ଯ୍ୟର ସ୍ଥାୟୀତ୍ବ ପ୍ରତି ଗୁରୁତ୍ବ ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *