ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଦାମୋଦର ଦାସ ମୋଦୀ ଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୯/୬/୨୦୨୪ (ଓଡ଼ିଶା ସମାଚାର)-   ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ନିମନ୍ତ୍ରିତ ୧୦ହଜାରରୁ ଅଧିକ  ଅତିଥିଙ୍କ ଉପସ୍ଥିତିରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ମୋଦୀଙ୍କ ଏହି ପାଳିରେ ମଧ୍ୟ ଓଡ଼ିଶାର ସାଂସଦଙ୍କୁ ଗୁରୁତ୍ବ ଦିଆଯାଇଛି। ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ  ଓ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ମୋଦିଙ୍କ ପରେ ରାଜନାଥ ସିଂ , ନୀତିନ ଗଡକରୀ, ଜେପି ନଡ୍ଡା, ନିର୍ମଳା ସିତାରମଣ, ଏସ୍‌ ଜୟଶଙ୍କର, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍‌ଡି କୁମାରସ୍ବାମୀ, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାନଝୀ, ରାଜୀବ ରଞ୍ଜନ ସିଂ, ସର୍ବାନ୍ଦ ସୋନଓ୍ବାଲ, ବୀରେନ୍ଦ୍ର କୁମାର, କେ.ରାମମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ, ଗିରିରାଜ ସିଂ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଗନ୍ଦ୍ରେ ସିଂ ଶେଖାଓ୍ବତ, ଅର୍ନପୂର୍ଣ୍ଣା ଦେବୀ, କରିନେ୍‌ ରିଜିଜୁ , ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡବ୍ୟ ଶପଥ ନେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୭୨ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ରାଜ୍ୟ ମନ୍ତ୍ରୀ ସ୍ବତନ୍ତ୍ର ପ୍ରଭାରଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମାସିଂଘେ, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥ, ଭୁଟାନ ପ୍ରଧାନମନ୍ତ୍ରୀ  ସେରିଂ ତୋବ୍‌ଗେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଶିଳ୍ପପତି ମୁକେଶ ଆମ୍ବାନୀ, ଗୌତମ ଆଦାନୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ,  ସିନେ ଷ୍ଟାର ରଜନୀକାନ୍ତ, ଶାହରୁଖ ଖାନ ଓ ଅକ୍ଷୟ କୁମାର ଉପସ୍ଥିତ ଅଛନ୍ତି ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନପାଇବାରୁ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁ ଏବେ କିଙ୍ଗମେକର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୫୪୩ ‌ଲୋକସଭା ଆସନରୁ ଏନ୍‌ଡିଏ ମେଣ୍ଟ ୨୯୩ ଆସନରେ ଜିତିଥିବା ବେଳେ ବିଜେପି ମାତ୍ର ୨୪୦ ଆସନରେ ବିଜୟ ହାସଲ କରିଛି, ଯାହାକି ଆବଶ୍ୟକ ସଂଖ୍ୟା ଠାରୁ ୩୨ ଆସନ କମ୍।

Leave a Reply

Your email address will not be published. Required fields are marked *