ଧାର ଟଙ୍କା ଫେରସ୍ତ ନ କରିବାରୁ ମହିଳାଙ୍କୁ ତଣ୍ଟିଚିିପି ହତ୍ୟା
କୁଚିଣ୍ଡା, ୧୧/୦୮/୨୦୨୫(ଓଡ଼ିଶା ସମାଚାର)- ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଡିମିରିମୁଣ୍ଡା ଗ୍ରାମର ବିଧବା ମହିଳା ବନି ମହାକୁଳ (୫୦)ଙ୍କ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୁଚିଣ୍ଡା ଏନଏସି ୱାର୍ଡ ନଂ -୧ ମହୁଲଡିହିର ମନୋଜ କୁମାର କେଛୁ(୬୦) ଓ ଅରକ୍ଷିତ ମାଝି (୨୮) । ମୃତକଙ୍କ ପୁଅ ସଞ୍ଜିତ ମହାକୁଳ (୨୬)ଙ୍କ ରିପୋର୍ଟ କ୍ରମେ ପୋଲିସ କୁଚିଣ୍ଡା ଥାନାରେ ଦଫା- ୧୦୩(୧)/ ୩(୫)ବିଏନଏସ (ନଂ.୨୧୨/ ୨୦୨୫)ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଏକ ସପ୍ତାହ ପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ଧାର ଟଙ୍କା ଫେରସ୍ତ ନକରି ଓଲଟା ଆଇନର ଧମକ ଦେଇ ଆସୁଥିବାରୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଅରକ୍ଷିତଙ୍କ ସହାୟତାରେ ତଣ୍ଟିଚିିପି ହତ୍ୟା କରିଥିବା ଅଭିଯୁକ୍ତ ମନୋଜ ପୋଲିସ ଆଗରେ ସ୍ୱୀକାର କରିଥିବା ରବିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ପ୍ରକାଶ କରିଛନ୍ତି । କୁଚିଣ୍ଡା ପୋଲିସ ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ କୁଚିଣ୍ଡା ଏସଡ଼ିଜେଏମ୍ କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଏକ ବାଇକ୍,ଚପଲ ଓ ମୃତ ମହିଳାଙ୍କ ଷ୍ଟଲ ଜବତ କରିଛି ।
ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ଡିମିରିମୁଣ୍ଡା ଗ୍ରାମର ସ୍ୱର୍ଗତ ବିଦେଶୀ ମହାକୁଳଙ୍କ ସ୍ତ୍ରୀ ବନି ମହାକୁଲ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ସେ ଝାରସୁଗୁଡ଼ା ଓ ରାଉରକେଲାରୁ ପରିବା ଆଣି କୁଚିଣ୍ଡା ଦୈନିକ ବଜାରରେ ବିକ୍ରି କରୁଥିଲେ । ଅଭିଯୁକ୍ତ ମନୋଜ ସହ ତାଙ୍କର ଦୀର୍ଘଦିନ ହେବ ଅନୈତିକ ସମ୍ପର୍କ ଥିଲା । ତେଣୁ ମନୋଜ ତାଙ୍କୁ ଆର୍ଥôକ ସହାୟତା ମଧ୍ୟ କରି ଆସୁଥିଲା । ମୃତ ମହିଳା ଜଣକ ମନୋଜ ଠାରୁ ତିନି ମାସ ପୂର୍ବରୁ ମୋଟା ଅଙ୍କର ଟଙ୍କା ଧାର ନେଇ ଆଉ ଫେରସ୍ତ କରିନଥିଲେ । ଏହାକୁ ନେଇ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ମହିଳା ଜଣକ ଟଙ୍କା ଫେରସ୍ତ କରିବା ବଦଳରେ ଓଲଟା ବଳାତ୍କାର ମାମଲାରେ ଫସାଇବାକୁ ଧମକ ଦେଇଆସୁଥିଲେ ବୋଲି ମନୋଜ ପୋଲିସ ଆଗରେ କହିଛନ୍ତି । ଏଥିରେ ମନୋଜ ଆକ୍ରୋଶ ରଖି ମହିଳାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା । ମହିଳା ଜଣକ ସବୁଦିନ ସନ୍ଧ୍ୟାରେ କୁଚିଣ୍ଡାରୁ ବସ୍ ଯୋଗେ ଆସି ଡିମିରିମୁଣ୍ଡା ଛକରେ ଓହ୍ଲାଇ ଘରକୁ ଯାଆନ୍ତି ।
ମନୋଜ ମହିଳାଙ୍କ ବସରେ ଯିବା ଆସିବା ଉପରେ ନଜର ରଖି ଗତ ୨ ତାରିଖ ସନ୍ଧ୍ୟାରେ ଅରକ୍ଷିତଙ୍କ ସହ ବାଇକରେ ଯାଇ ଡିମିରିମୁଣ୍ଡା ଛକ ନିକଟବର୍ତୀ ଗୁଠେନଗୁଡା ଠାରେ ଏକ କଲଭର୍ଟ ପାଖରେ ଛକି ବସିଥିଲା । ମହିଳା ଜଣକ ବସରୁ ଓହ୍ଲାଇ ଘରକୁ ଯାଉଥିବା ସମୟରେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ମାଡ଼ିବସି ଗାମୁଛାରେ ତଣ୍ଟିଚିିପି ହତ୍ୟା କରି ଏକ ଖାଲରେ ଫୋପାଡି ଦେଇ ଫେରାର ହୋଇ ଯାଇଥିଲେ । ରବିବାର ସକାଳେ ଡିମିରିମୁଣ୍ଡା ନିକଟସ୍ଥ ଗୁଠେନଗୁଡା ଠାରେ ମା’ଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିି ପୁଅ ସଞ୍ଜିତ କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ । କୁଚିଣ୍ଡା ଆଇଆଇସି ବାମଦେବ ଶଙ୍ଖୁଆଳ, କୁଚିଣ୍ଡା ଏସଡିିପିଓ ପ୍ରଦୀପ କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଥିଲେ ।
ପରେ ସମ୍ବଲପୁରରୁ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଥିଲା । ସମ୍ବଲପୁର ଏସପି ମୁକେଶ କୁମାର ମାମୁଙ୍କ ନିର୍ଦ୍ଧେଶ କ୍ରମେ ଏସଡିିପିଓ ଦାଶଙ୍କ ତତ୍ୱାବଧାନରେ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା । କୁଚିଣ୍ଡା ଆଇଆଇସି ବାମଦେବ ଶଙ୍ଖୁଆଳ, ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା, ଜମନକିରା ଆଇଆଇସି ପଦ୍ମାଳୟା ସାହୁ, ମହୁଲପାଲି ଥାନା ଅଧିକାରୀ ସୁଜିତ ଫିରୋଜ ଏକ୍କା,ଏସଆଇ ଅମର ହୋତା,ଆଶିଷ ପ୍ରଧାନ,ଲ୍ୱଲି ପ୍ରଧାନଙ୍କୁ ନେଇ ଗଠିତ ପୋଲିସ ଟିମ୍ ପାରିପାର୍ଶ୍ୱିକ ସ୍ଥିତି ଓ ବିଭିନ୍ନ ଦିଗ ଉପରେ ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ ।
