ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ

ଭୁବନେଶ୍ୱର, ୦୯/୬/୨୦୨୪ (ଓଡ଼ିଶା ସମାଚାର)-  ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିବା ସହ ବିଜେଡିର ପରାଜୟ ପାଇଁ କ୍ଷମା ମାଗିଛନ୍ତି । ଏହା ସହ ସେ ଦଳୀୟକର୍ମୀଙ୍କ ନିକଟରେ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି ।

ସେ କହିଛନ୍ତି ଯେ, ପିଲାଟି ଦିନରୁ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ଥିଲା । ଆଉ ମହାପ୍ରଭୁଙ୍କ କୃପାରୁ ସେହି ସ୍ୱପ୍ନ ସାକାର ହେଲା । ୧୨ ବର୍ଷ ପୂର୍ବେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ସମ୍ମାନର ବିଷୟ ବୋଲି ପାଣ୍ଡିଆନ କହିଛନ୍ତି। ନବୀନ ପଟ୍ଟନାୟକଙ୍କଠାରୁ ସେ ଅନେକ କଥା ଶିଖିଛନ୍ତି । ଓଡ଼ିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ପାଇଁ ସେ କୃତଜ୍ଞ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ରାଜନୀତିକୁ ଆସିବାରେ ମୋର କୌଣସି ଉଦ୍ଦେଶ୍ୟ ନଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି । ସେ ଏହା ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛି । ମୟୂରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ୨୦୨୩ରେ ଆଇଏଏସ ରୁ ଅବସର ନେଇ ନଭେମ୍ବର ୨୭ରେ ରାଜନୀତିରେ ଯୋଗ ଦେଇଥିଲେ । ସେ କହିଛନ୍ତି କରୋନା ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଥିଲି ଏବଂ ବାତ୍ୟା ସମୟରେ ନବୀନ ବାବୁଙ୍କୁ ସହଯୋଗ କରିଥିଲି । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ତାଙ୍କ ସହ କାମ କରିଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ  ।  ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନରୁଦ୍ଧାର, ଯୁବଛାତ୍ରଙ୍କ ପାଇଁ କାମ କରୁଥିଲି ବୋଲି ସେ କହିଛନ୍ତି  ।ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ ।

 ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ପାଣ୍ଡିଆନ୍‌ ଘୋଷଣା କରିଥିଲେ ଯେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବେ । ତେବେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ୍‌ ।

Leave a Reply

Your email address will not be published. Required fields are marked *