ପୂର୍ବତନ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢୀ ରାଜ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ

ଭୁବନେଶ୍ୱର,୨୮/୦୧/୨୦୨୫ (ଓଡ଼ିଶା ସମାଚାର)- ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଓ ପୂର୍ବତନ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତି ମିଳିଛି। ସୋମବାର ଏନେଇ ସରକାରୀ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶଙ୍କୁ ଏହି ନୂତନ ନିଯୁକ୍ତି ଦିଆଯିବା ସହ କ୍ୟାବିନେଟ୍ ରାଙ୍କ୍‌ ମଧ୍ୟ ପ୍ରଦାନ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ଭାବରେ ଗତ ଅଗଷ୍ଟ ମାସ ଠାରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିଲା। ମାତ୍ର ସରକାର ନୂତନ କମିଶନର ନିଯୁକ୍ତ କରିବାରେ ବିଳମ୍ୱ କରିବା କାରଣରୁ ସେ ଏହି ଦାୟିତ୍ୱ ତୁଳାଇ ଆସୁଥିଲେ। ୨୦୨୨ ଅକ୍ଟୋବର ମାସରେ ଅବସର ନେଇଥିବା ଶ୍ରୀ ପାଢୀଙ୍କ ଲାଗି ଏହି ନୂତନ ପଦବୀ ବେଶ ଗୁରୁତ୍ୱ ବହନ କରୁଛି। ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସିଟ୍ ସଂଖ୍ୟା ସିନା ବିଜେପିକୁ ଅଧିକ ମିଳିଛି ମାତ୍ର ଭୋଟ୍ ପ୍ରତିଶତ ଦେଖିଲେ ବିଜେଡି ଖାତାକୁ ଅଧିକ ଯାଇଛି। ତେଣୁ ନିଜର ପତିଆରା ବଜାୟ ରଖିବା ଲାଗି ରାଜ୍ୟର ସରକାରୀ ଦଳକୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସଫଳତା ହାସଲ କରିବାକୁ ପଡିବ । ସେଭଳି କିଛି ଆଶା ନେଇ ମଧୁସୂଦନ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର କରାଯାଇଥିବା ଏବେ ଚର୍ଚ୍ଚା ହେଉଛି। ସେହିପରି “କମେଡି ଇନ୍ ଖାକି” ନାମକ ଏକ ପୁସ୍ତକ ଲେଖି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଏବେ ଚର୍ଚ୍ଚାରେ ରହିଛନ୍ତି। ଗତ ୨୦୧୯ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢି ପରାସ୍ତ ହୋଇଯାଇଥିଲେ। ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବରେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *