ନିରାକାରପୁର, ୦୬ /୬/୨୦୨୪ (ଓଡ଼ିଶା ସମାଚାର)- ରେଳ ବିଭାଗର ଦାୟିତ୍ବ ହୀନତା ଯୋଗୁ ଗତ କିଛି ଦିନ ହେବ ସାଧାରଣ ଜନତା ଓ ହଜାର ହଜାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଏ ବିଷୟ ରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲେ ବି ଏଥି ପ୍ରତି ରେଳ ବିଭାଗର ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ ନ କରିବା ବିଡ଼ମ୍ବନାର ବିଷୟ। ସୂଚନାଯୋଗ୍ୟ କି ନୟାଗଡ – ପୁରୀ ନୂଆ ଜଗନ୍ନାଥ ସଡ଼କ ଖୋରଧା ଜିଲ୍ଲା ନିରାକାରପୁର ବଜାର ରେଳ ଫାଟକରେ ଲୋକେ ବିଭାଗୀୟ ଅଧିକାରୀଙ୍କ ଦାୟିତହୀନତା ଯୋଗୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରେଳ ଫାଟକ ଅତିକ୍ରମ କରିବା ରାସ୍ତାଟି କୁ ବିଭାଗ ପକ୍ଷରୁ ନିୟମିତ ଭାବେ ଠିକ୍ ରୂପେ ରକ୍ଷଣାବେକ୍ଷଣ କରାଯାଇ ଯାତ୍ରୀ ମାନଙ୍କ ଯାତାୟାତ କୁ ସୁଗମ କରିବା ପାଇଁ ବ୍ୟବସ୍ଥା କରାଯାଇଥାଏ। ବର୍ତମାନ ଦୀର୍ଘ ଦିନ ହେବ ଏହାର ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ରେଳ ଧାରଣା କଡ଼ରେ ଦିଆଯାଇଥିବା ପେବର ବ୍ଲକ ଗୁଡ଼ିକ ଦବି ଗଲାଣି। ରେଳ ଧାରଣା ଗୁଡ଼ିକ ଉପରକୁ ଉଠିଯିବା କାରଣରୁ ଲୋକେ ଯାତାୟାତ କରୁଥିବାବେଳେ ଯାନବାହାନ ଗୁଡ଼ିକ ରେଳ ଧାରଣା ଅତିକ୍ରମ କରିବା କଷ୍ଟକର ହୋଇପଡିଛି। ଗେଟ୍ ବନ୍ଦ ସମୟରେ ପ୍ରବଳ ଗହଳି ମଧ୍ୟରେ ଅନେକ ଛୋଟବଡ ଦୁର୍ଘଟଣା ଘଟୁଛି ଓ ପରସ୍ପର ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେଉଛି। ଏଣୁ ତୁରନ୍ତ ଏହି ରେଳ ଫାଟକ ଅତିକ୍ରମ ରାସ୍ତାର ମରାମତି କରିବାକୁ ଦାବି ହେଉଛି।