ଜଗତସିଂହପୁର, ୦୩/୬/୨୦୨୪ (ଓଡ଼ିଶା ସମାଚାର)- ଜିଲ୍ଲା ରେ ଗତ ଜୁନ ୧ ତାରିଖ ରେ ସାଧାରଣ ନିର୍ବାଚନ ୨୦୨୪ ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇଯାଇଛି। ଇଭିଏମ ଭିଭିପ୍ୟାଟ ଗୁଡିକ ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍ ରେ ସିଲ କରାଯାଇ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଆସନ୍ତା ୪ ତାରିଖରେ ଭୋଟ ଗଣତି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା କୁ ଅଗ୍ରାଧିକାର ଦିଆଯାଇ, ଭାରତୀୟ ନିର୍ବାଚନ ଆୟୋଗ ଙ୍କ ପ୍ରୋଟୋକଲ ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି। ଜିଲ୍ଲା ର ୪ ଗୋଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ଇ ସି ଆଇ ଦ୍ଵାରା ନିଯୁକ୍ତ କାଉଣ୍ଟିଂ ପର୍ଯ୍ୟବେକ୍ଷକ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଭୋଟ ଗଣତି କୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ୧୦୧ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ର ୨୩୩ ଟି ବୁଥ୍ ଅନ୍ତର୍ଗତ ବିଧାନ ସଭା କ୍ଷେତ୍ର ପାଇଁ ୧୧ ଟି ଟେବୁଲ ଓ ୨୨ ରାଉଣ୍ଡ ଗଣତି, ବିଧାନ ସଭା ସେଗମେଣ୍ଟ ପାଇଁ ୧୧ ଟି ଟେବୁଲ ଓ ୨୨ ରାଉଣ୍ଡ ଗଣତି ଏବଂ ପୋଷ୍ଟାଲ ବାଲଟ ପାଇଁ ୪ ଗୋଟି ଟେବୁଲ ର ବ୍ୟବସ୍ଥା କରାଯାଇଛି। ସେହିପରି ୧୦୨ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୬୬ ବୁଥ ର ବିଧାନ ସଭା କ୍ଷେତ୍ର ପାଇଁ ୧୪ଟି ଟେବୁଲ ୧୯ ରାଉଣ୍ଡ,ବିଧାନ ସଭା ସେଗମେଣ୍ଟ ପାଇଁ୧୪ଟି ଟେବୁଲ ୧୯ ରାଉଣ୍ଡ, ଓ ପୋଷ୍ଟାଲ ବାଲଟ ନିମନ୍ତେ ୪ ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ୧୦୩ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ୩୧୨ ଟି ବୁଥ୍ ର ବିଧାନ ସଭା କ୍ଷେତ୍ର ପାଇଁ ୧୮ ଟି ଟେବୁଲ ୧୮ ରାଉଣ୍ଡ ଗଣତି ଓ ବିଧାନ ସଭା ସେଗମେଣ୍ଟ ପାଇଁ ୧୪ ଟି ଟେବୁଲ ରେ ୨୩ ରାଉଣ୍ଡ ଗଣତି ସହ ପୋଷ୍ଟାଲ ବାଲଟ ନିମନ୍ତେ ୪ ଟି ଟେବୁଲ ବ୍ୟବସ୍ଥା କରାଯାଇଛି।ସେହିପରି ୧୦୪ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ୨୪୦ ବୁଥ୍ ନିମନ୍ତେ ବିଧାନ ସଭା କ୍ଷେତ୍ରର ୧୧ ଟି ଟେବୁଲ ରେ ୨୨ ରାଉଣ୍ଡ, ବିଧାନ ସଭା ସେଗମେଣ୍ଟ ର ୧୧ ଟେବୁଲ ରେ ୨୨ ରାଉଣ୍ଡ ଗଣତି ସହ ପୋଷ୍ଟାଲ ବାଲଟ ନିମନ୍ତେ ୪ ଟି ଟେବୁଲ ରେ ଗଣତି ର ବ୍ୟବସ୍ଥା କରାଯାଇଛି। ଏତଦବ୍ୟତୀତ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ପୋଷ୍ଟାଲ ବାଲଟ ନିମନ୍ତେ ୨୦ ଟି ଟେବୁଲ ର ବ୍ୟବସ୍ଥା କରାଯାଇଛି। ଆସନ୍ତା କାଲି, ଜୁନ ୪ ତାରିଖରେ କଡା ସୁରକ୍ଷା ବଳୟ ମଧ୍ୟରେ ସକାଳ ୮ ଟାରୁ ପୋଷ୍ଟାଲ ବାଲଟ ଓ ୮.୩୦ ମି ରେ କଣ୍ଟ୍ରୋଲ ୟୁନିଟ୍ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହେବ।ଜନସାଧାରଣଙ୍କ ଅବଗତି ନିମନ୍ତେ କଲେଜ ମୁଖ୍ୟ ଫାଟକ ନିକଟରେ ଫଳାଫଳ ଘୋଷଣା ର ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତ୍ୟେକ ରାଉଣ୍ଡ ର ଫଳାଫଳ ଏଲ୍ ଇ ଡି ସ୍କ୍ରିନ୍ ମାଧ୍ୟମରେ ମୁଖ୍ୟ ଫାଟକ ନିକଟରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। କାଉଣ୍ଟିଂ ସେଣ୍ଟର ମଧ୍ୟକୁ କୌଣସି ବ୍ୟକ୍ତି ବିଶେଷ ମୋବାଇଲ ନେବାକୁ ବାରଣ କରାଯାଇଛି ।ଗଣମାଧ୍ୟମ ପ୍ରତିନିଧି ମାନେ ମିଡିଆ ସେଲ ମଧ୍ୟରେ ମୋବାଇଲ ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
