ବୁଥ୍ ମୁହାଁ ହେଲେ ବୁଥ୍ ପରିଚାଳନା ଅଧିକାରୀ

କେନ୍ଦ୍ରାପଡ଼ା,୩୦/୫/୨୦୨୪ (ଓଡ଼ିଶା ସମାଚାର)- ଜୁନ୍ ୧ ଭୋଟଗ୍ରହଣ ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ୍ ରୁମ୍ ରୁ ଇଭିଏମ୍ ଗୁଡ଼ିକୁ ସଂଗ୍ରହ କରି ବୁଥ୍ ପରିଚାଳନା ଅଧିକାରୀମାନେ ୯୮-ଆଳି, ୯୯-ରାଜନଗର ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ କୁ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ପୋଲିଂ ପାର୍ଟିରେ ଅଛନ୍ତି ଜଣେ ପ୍ରିଜାଇଡିଙ୍ଗ୍ ଅଫିସର, ୫ଜଣ ପୋଲିଂ ଅଧିକାରୀ ଓ ଜଣେ ପୋଲିସ । ସୂଚନାଯୋଗ୍ୟ ଆଳି, ରାଜନଗର ଓ ମହାକାଳପଡ଼ାରେ ଯଥାକ୍ରମେ ୩୧୯, ୨୮୭ ଓ ୨୮୪ଟି ବୁଥ୍ ରହିଛି । ଆସନ୍ତାକାଲି ୯୬-ପାଟକୁରା ଓ ୯୭-କେନ୍ଦ୍ରାପଡ଼ା ପାଇଁ ପୋଲିଂ ପାର୍ଟି ଯାତ୍ରା କରିବେ । ବୁଥ୍ ପରିଚାଳନା ଅଧିକାରୀମାନେ ବାଲାଟ୍ ୟୁନିଟ୍, କଂଟ୍ରୋଲ ୟୁନିଟ୍ ଓ ଭିଭିପାଟ୍ ସହ ଭୋଟର୍ ତାଲିକା, ଭୋଟର ସ୍ଲିପ୍, ବ୍ୟାଟେରୀ, ଏଲଇଡି ଲ୍ୟାଂଟିନ୍, କାଳି, ଷ୍ଟାମ୍ପ, ଭୋଟିଂ କମ୍ପାର୍ଟମେଂଟ୍ ଆଦି ସମସ୍ତ ଆବଶ୍ୟକୀୟ ଉପକରଣ ସାଙ୍ଗରେ ଧରି ଯାତ୍ରା କରିଛନ୍ତି । ଜୁନ୍ ୧ରେ ଶତପ୍ରତିଶତ ଭୋଟଦାନ କରିବାକୁ ଜିଲା ନିର୍ବାଚନ ଅଧିକାରୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *